ବର୍ତମାନ କୋରୋନା ମହାମାରୀ ସମୟ । ଜଣେ ଡାକ୍ତର ଓ ହୋମିଓପାଥ ଭାବେ ମୁଁ କ୍ଲିନିକରେ ଅନେକ ନୂଆ ନୂଆ ଅନୁଭୂତି ହାସଲ କରୁଛି । ମାସେରୁ ଅଧିକ ସମୟ ପୂର୍ବେ ମୋର ଜଣେ ରୋଗୀ କୋରୋନା ପଜିଟିଭ ହୋଇଥିଲେ । ଏହି ସ୍ଥିତି ‘ଲଙ୍ଗ୍ କୋଭିଡ’ ନାମରେ ଜଣାଶୁଣା । ଏହା ଲୋକଙ୍କୁ ବେଶ୍ ଦୁର୍ବଳ କରିଦିଏ । ରୋଗୀ ଜଣକ ସାମାନ୍ୟ ଦୂର ଚାଲିଲେ ବି ଅଶ୍ୱସ୍ତି ଅନୁଭବ କରିବା ନେଇ ଅଭିଯୋଗ କରୁଛନ୍ତି । ମହାମାରୀରୁ ଲୋକଙ୍କୁ ବଂଚାଇବା ପାଇଁ ଏଯାଏଁ ଫୋକସ ରହିଆସିଛି । କିନ୍ତୁ କୋଭିଡ-୧୯ ସଂକ୍ରମଣରୁ ଲୋକେ ଦୀର୍ଘକାଳୀନ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗ କରୁଛନ୍ତି ବୋଲି ହୃଦୟଙ୍ଗମ ହେଲାଣି ।
ଲଙ୍ଗ୍ କୋଭିଡ କ’ଣ ?
‘ଲଙ୍ଗ କୋଭିଡ୍’ର ଏ ପର୍ଯ୍ୟନ୍ତ କୌଣସି ମେଡିକାଲ ସଂଜ୍ଞା ନାହିଁ । ଅତିଶୟ କ୍ଲାନ୍ତି ହେଉଛି ଏହାର ସାଧାରଣ ବୈଶିଷ୍ଟ୍ୟ । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ, ଛାଡୁ ନ ଥିବା କଫ, ଆଣ୍ଠୁଗଣ୍ଠି ବାତ, ମାଂସପେଶୀ ଯନ୍ତ୍ରଣା, ଶ୍ରବଣ ଓ ଦୃଷ୍ଟିଶକ୍ତିରେ ସମସ୍ୟା, ମୁଣ୍ଡବ୍ୟଥା, ସ୍ୱାଦ ବାରିବାରେ ଅସମର୍ଥତା ସମେତ ହୃଦୟ, କିଡନୀରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।
ଅବସାଦ, ବ୍ୟଗ୍ରତା, ମୃତ୍ୟୁର ଭୟ, ଏକାକୀ ରହିବାର ଭୟ ଏବଂ ସ୍ପଷ୍ଟ ଚିନ୍ତା କରିବା ପାଇଁ ସଂଘର୍ଷ ଭଳି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବି ଦେଖାଦେଇଛି । ଏଭଳି ସ୍ଥିତି ଲୋକଙ୍କ ଗୁଣାତ୍ମକ ଜୀବନକୁ ଧ୍ୱଂସ କରିପାରେ । ‘ଅତିଶୟ କ୍ଲାନ୍ତି ମୁଁ କେବେ ଆଗରୁ ଅନୁଭବ କରି ନ ଥିଲି’, ମୋ ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀ ଶ୍ରୀ ସିଂଘଲ ( ପ୍ରକୃତ ନାମ ନୁହେଁ ) କହନ୍ତି । ଇଂଟେନସିଭ କେୟାରରେ ରହିଥିବା ରୋଗୀମାନେ ବି ସୁସ୍ଥ ହେବା ପାଇଁ ଦୀର୍ଘ ସମୟ ନିଅନ୍ତି । କେବଳ ସେତିକି ନୁହେଁ, ସାମାନ୍ୟ ସଂକ୍ରମଣରେ ପ୍ରଭାବିତ ଲୋକେ ବି ଦୀର୍ଘକାଳିନ ଓ ଅସହ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ୩ ସପ୍ତାହ ପରେ ମଧ୍ୟ ପ୍ରତି ୧୦ରୁ ଜଣଙ୍କଠାରେ କୋଭିଡ ଲକ୍ଷଣ ଥାଏ । ବ୍ରିଟେନରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ସେହି ଦେଶରେ ୧୨ ପ୍ରତିଶତ ଲୋକଙ୍କଠାରେ ୩୦ ଦିନ ପରେ ମଧ୍ୟ କୋଭିଡ ଲକ୍ଷଣ ଥିଲା । ସଦ୍ୟତମ ଓ ଅପ୍ରକାଶିତ ତଥ୍ୟ ଅନୁସାରେ ୫୦ ଜଣଙ୍କ ମଧ୍ୟରୁ ଜଣଙ୍କଠାରେ ( ୨ ପ୍ରତିଶତ ) ୯୦ ଦିନ ପରେ ମଧ୍ୟ ଲଙ୍ଗ୍ କୋଭିଡ ଲକ୍ଷଣ ରହିଥାଏ ।
ଭାଇରସ କେମିତି ଲଙ୍ଗ କୋଭିଡ୍ ସୃଷ୍ଟି କରେ?
ଭାଇରସ ଶରୀରର ଅଧିକାଂଶ ସ୍ଥାନରୁ ହଟିଗଲେ ମଧ୍ୟ କିଛି ଛୋଟ ଛୋଟ ଜାଗାରେ ବହୁଦିନ ରହିଯାଇଥାଏ । ‘ଯଦି ଅଧିକ ଦିନ ଡାଇରିଆ ଲାଗି ରହେ , ତେବେ ଆପଣ ଭାଇରସ ଅନ୍ତଃରେ ରହିଯାଏ , ଯଦି ସ୍ୱାଦ ବାରିପାରୁନାହାନ୍ତି,ତାହା ହେଲେ ଭାଇରସ ସ୍ନାୟୁରେ ଥିବ । ଆଉ ଏହା ହିଁ ସମସ୍ୟାର କାରଣ ହୋଇଥାଏ । ’’ ଲଣ୍ଡନ କିଙ୍ଗ୍ସ କଲେଜର ପ୍ରଫେସର ଟିମ୍ ସ୍ପେକ୍ଟର ଏହା କହନ୍ତି । କୋରୋନା ଭାଇରସ, ଶରୀରର ବିଭିନ୍ନ କୋଷକୁ ସିଧାସଳଖ ପ୍ରଭାବିତ କରିବା ସହ ଓଭରଆକ୍ଟିଭ ଇମ୍ୟୁନ ରେସପନ୍ସ ସୃଷ୍ଟି କରେ । ଆଉ ଏହା ଦ୍ୱାରା ଶରୀର କ୍ଷତିଗ୍ରସ୍ତ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରି କହିଛି ଯେ, କୋରୋନା ଭାଇରସ ଦ୍ୱାରା ସୃଷ୍ଟି ହେଉଥିବା ବ୍ୟାପକ ପ୍ରଦାହ ଯୋଗୁଁ ଲୋକେ ଖୁବ୍ କମ ବୟସରେ ହୃଦରୋଗର ସମ୍ମୁଖୀନ ହୋଇଥାନ୍ତି ।