ହାଇଦ୍ରାବାଦ:କୋଲେଷ୍ଟ୍ରଲ ବୃଦ୍ଧି ଯୋଗୁଁ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହାର ଅନେକ ରୋଗର କାରଣ ହୋଇଥିବା ବେଳେ ହୃଦୟ ପାଇଁ ବିପଦ ବୋଲି ବିବେଚନା କରାଯାଏ । ତେବେ କୋଲେଷ୍ଟ୍ରଲ ବୃଦ୍ଧିର ଅନେକ କାରଣ ରହିଥିଲେ ହେଁ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଶୀଘ୍ର କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ । ବର୍ତ୍ତମାନ ସମୟରେ ବିଶେଷ କରି ଯୁବପିଢି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ରକ୍ତରେ କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣରେ ରଖିବା ଜରୁରୀ ବୋଲି କୁହାଯାଇଛି ।
ସାଧାରଣତଃ କୋଲେଷ୍ଟ୍ରଲକୁ 2 ଭାଗରେ ବିଭକ୍ତ କରାଯାଇଛି । ଭଲ କୋଲେଷ୍ଟ୍ରଲ HDL(ହାଇ ଡେନସିଟି ଲିପୋପ୍ରୋଟେନ୍) ଏବଂ ଖରାପ କୋଲେଷ୍ଟ୍ରଲ LDL(ଲୋ' ଡେନ୍ସିଟି ଲିପୋପ୍ରୋଟେନ୍) ଏହି ଦୁଇ ପ୍ରକାରର ରହିଥାଏ । LDL ବୃଦ୍ଧି ଶରୀରରେ ରୋଗର କାରଣ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । ଶରୀରରେ ଗୁ଼ଡ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି କାରଣରୁ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି । ମସ୍ତିଷ୍କ ସହିତ ଜିଡତ ଗମ୍ଭୀର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ମତ ପୋଷଣ କରିଛନ୍ତି ।
ରକ୍ତରେ ଭଲ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି କାରଣରୁ ଡିମେନ୍ସିଆ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି । ପ୍ରକାଶଥାଉକି, ଡିମେନ୍ସିଆ ରୋଗୀଙ୍କ ମଧ୍ୟରେ ଚିନ୍ତା କରିବା, ମନେରଖିବା କ୍ଷମତା କମିଯାଇଥାଏ । ଅଷ୍ଟ୍ରେଲିଆର ମୋନାଶ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । 65ରୁ ବର୍ଷରୁ ଅଧିକ ବୟସ୍କର 18 ହଜାରରୁ ଅଧିକ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଡିମେନ୍ସିଆ ଏବଂ HDL କୋଲେଷ୍ଟ୍ରଲ ମଧ୍ୟରେ ସମ୍ପର୍କକୁ ଜାଣିବା ପାଇଁ ଏହି ଅନୁସନ୍ଧାନ କରାଯାଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି।