ହାଇଦ୍ରାବାଦ:ମେଦବହୁଳତା କିମ୍ବା ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ହୃଦରୋଗ...ଏହି ରୋଗ ପଛରେ ଅବହେଳିତ ଜୀବନଶୈଳୀ ଏକ ପ୍ରମୁଖ କାରଣ ଅଟେ । ଭୁଲ ଜୀବନଶୈଳୀ ଏବଂ ଖାଦ୍ୟ ଏବଂ ପାନୀୟର ଅବହେଳା ହେତୁ ଅନେକ ଗୁରୁତର ରୋଗ ହେବାର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ, ଲାନସେଟ୍ ଡାଇବେଟିସ୍ ଏବଂ ଏଣ୍ଡୋକ୍ରିନୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନର ରିପୋର୍ଟ ଏହି ପରିପ୍ରେକ୍ଷୀରେ ଅନେକ ଆକଳନ ଉପସ୍ଥାପନ କରିଛି। ଏହି ଦେଶବ୍ୟାପୀ ଅନୁସନ୍ଧାନ ଅନୁଯାୟୀ ଆମ ଦେଶର ମୋଟ 11.4 ପ୍ରତିଶତ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଅନ୍ୟପକ୍ଷରେ ଦେଶର 35.5 ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପରେ ପୀଡିତ।
ଦେଶରେ ବୃଦ୍ଧି ପାଇବାରେ ଲାଗାଛି ମେଦବହୁଳତା: ମାଡ୍ରାସ୍ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅର୍ଥାତ୍ ଆଇସିଏମ୍ଆର୍ ଏବଂ ଅନ୍ୟାନ୍ୟ ସରକାରୀ ଚିକିତ୍ସା ପ୍ରତିଷ୍ଠାନ ସହଯୋଗରେ ଏନେଇ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ଭାରତରେ ମୋଟାପଣରେ ପୀଡିତ ଲୋକଙ୍କ ସଂଖ୍ୟା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ଏହି ସଂଖ୍ୟା ଦେଶରେ ମୋଟ 28.6 ପ୍ରତିଶତରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଅତ୍ୟଧିକ ଓଜନ ଉଭୟ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ବୋଲି ବିବେଚନା କରାଯାଏ । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଡାକ୍ତରୀ ବିଶେଷଜ୍ଞ । ସେମାନଙ୍କ କହିବା ଅନୁସାରେ, ଯେ ଯଦି ଏହା ଜାରି ରହେ ଏବଂ ସଠିକ୍ ପରିଚାଳନା କରା ନଯାଏ ତେବେ ଆଗାମୀ ଦିନରେ ଦେଶରେ ମଧୁମେହ ଏବଂ ହାର୍ଟ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବ ।
ଅଣ ସଂକ୍ରାମକ ରୋଗର ଆଶଙ୍କା ବୃଦ୍ଧି: ଏହି ଅଧ୍ୟୟନରେ କୁହାଯାଇଛି ଯେ 2008ରୁ 2020 ପର୍ଯ୍ୟନ୍ତ ଦେଶର 28ଟି ରାଜ୍ୟରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ 1.1 ଲକ୍ଷ ଲୋକ ଅନ୍ତର୍ଭୁକ୍ତ ହୋଇଥିଲେ । ଏହି ସର୍ବେକ୍ଷଣର ସିଦ୍ଧାନ୍ତରେ କୁହାଯାଇଛି ଯେ ଦେଶରେ ଅଣ ସଂକ୍ରାମକ ରୋଗ (NCD) ହେବାର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏନସିଡି ବିଷୟରେ କହିବାକୁ ଗଲେ, ଏହି ଶ୍ରେଣୀରେ ଏପରି ରୋଗ ଆସିଥାଏ, ଯାହା ସଂକ୍ରମଣ, ଜୀବାଣୁ କିମ୍ବା ଅନ୍ୟ କୌଣସି ଉପାୟରେ ବିସ୍ତାର ହୋଇନଥାଏ ।