ନୂଆଦିଲ୍ଲୀ: ଶିଶୁ ପାଇଁ ମାଆ କ୍ଷୀରର ବହୁଳ ଆବଶ୍ୟକତା ରହିଛି । ମାଆ କ୍ଷୀର ପିଇବା ଦ୍ବାରା ଶିଶୁଟି ସୁସ୍ଥ ଓ ନିରୋଗୀ ହୋଇଥାଏ । ତେବେ ମାଆ କ୍ଷୀରର ଗୁରୁତ୍ବ, ଆବଶ୍ୟକତା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଶ୍ବ ସ୍ତନ୍ୟପାନ ସପ୍ତାହ ବା ୱାର୍ଲ୍ଡ ବ୍ରେଷ୍ଟଫିଡ଼ିଂ ୱିକ୍ (World Breastfeeding Week) ପାଳନ ହୁଏ । ପ୍ରଥମତଃ ଏହି ଦିବସକୁ ୭୦ଟି ଦେଶରେ ପାଳନ କରାଯାଉଥିବା ବେଳେ ଏବେ ପ୍ରାୟ ୧୭୦ଟି ଦେଶରେ ପାଳନ କରାଯାଉଛି ।
ସ୍ତନ୍ୟପାନକୁ ସମର୍ଥନ କରିବା ସହ ଏହାକୁ ସୁରକ୍ଷା ଓ ପ୍ରୋତ୍ସାହିତ କରିବା ଲାଗି ସରକାରୀ ନୀତି ନିର୍ଦ୍ଧାରକ WHO ଓ UNICEF ଦ୍ବାରା ୧୯୯୦ ମସିହା ଅଗଷ୍ଟ ମାସରେ ଏହି ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ସ୍ତନ୍ୟପାନ କରିଥିବା ଶିଶୁମାନେ ଅନ୍ୟଙ୍କ ତୁଳନାରେ ଅଧିକ ଦକ୍ଷ ଓ ସୁସ୍ଥ ହୋଇଥାନ୍ତି । ଏମାନେ ଅନ୍ୟଙ୍କ ତୁଳନାରେ ମୋଟା ହେବା ବା ଅସୁସ୍ଥ ହେବାର ସମ୍ଭାବନା କମ ରହିଥାଏ । ମାଆ କ୍ଷୀରରେ ରହିଥିବା ଆଣ୍ଟିବଡ଼ି ନବଜାତ ଶିଶୁକୁ ଅନେକ ସଂକ୍ରମଣରୁ ଦୂରେଇ ରଖିଥାଏ ।
ଚଳିତ ବର୍ଷର ବିଷୟବସ୍ତୁ:-
ଚଳିତ ବର୍ଷର ଥିମ(Theme) ରହିଛି 'ସ୍ତନ୍ୟପାନ ଆଡ଼କୁ ପାଦେ: ଶିକ୍ଷା ଓ ସମର୍ଥନ' (Step Up For Breastfeeding: Educate and Support' । ଆଗ୍ରାର ଡାକ୍ତର ନିହାରିକା ମଲହୋତ୍ରାଙ୍କ କହିବାନୁସାରେ, " ଡେଲିଭରୀ ପରେ ମହିଳାଙ୍କୁ ଅବସାଦରୁ ମୁକ୍ତି ପାଇବାକୁ ହେଲେ ସ୍ତନ୍ୟପାନ ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ । ସ୍ତନ୍ୟାପନ କରାଇବା ଦ୍ବାରା ମହିଳାଙ୍କ କ୍ଷେତ୍ରରେ ଟାଇପ-୨ ଡାଇବେଟିସ ହେବାର ସମ୍ଭାବନା କମ ରହିଥାଏ । ଏହାବ୍ୟତୀତ ଆଣ୍ଠୁଗଣ୍ଠି ରୋଗ, ହୃଦ ସମ୍ବନ୍ଧୀୟ ରୋଗ, ଉଚ୍ଚ ରକ୍ତଚାପ, ମେଦ ବହୁଳତାର ଆଶଙ୍କା କମ ରହିଥାଏ । ନିୟମିତ ଭାବରେ ଶିଶକୁ ସ୍ତନ୍ୟପାନ କରାଇବା ଦ୍ବାରା ସ୍ତନ କର୍କଟ (Breast Cancer) ଓ ଗର୍ଭାଶୟ କର୍କଟ (Ovarian Cancer) ର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।"