ହାଇଦ୍ରାବାଦ: ମାନବ ଶରୀରରେ ଭିଟାମିନ୍ ଅଭାବ ଏକ ରୋଗ ହୋଇନପାରେ, ମାତ୍ର ଏହା ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କୁ ରୋଗାଗ୍ରସ୍ତ କରିପାରେ । କାରଣ ଆମ ଶରୀରର ଭିଟାମିନ୍, ମିନେରାଲ୍ସ ଏବଂ ପ୍ରୋଟିନ୍ ସାହାଯ୍ୟରେ ପରିଚାଳିତ ହୋଇଥାଏ । ଭିଟାମିନ୍ ଶରୀରକୁ ଦୃଢ ଓ ସୁସ୍ଥ ରଖେ । ବିଭିନ୍ନ କାର୍ଯ୍ୟ କରିବା ଏବଂ ମାନସିକ ସ୍ଥିତି ସନ୍ତୁଳନ ରଖେ । ମାତ୍ର ଏହାର ଅଭାବ ବେଳେ ବେଳେ ରୋଗ ସୃଷ୍ଟି କରିପାରେ । ତେବେ ଭିଟାମିନ୍ ଅଭାବରୁ କେଉଁ କେଉଁ ରୋଗ ହୋଇଥାଏ ଏବଂ କେଉଁ ସବୁ ଲକ୍ଷଣ ଭିଟାମିନ୍ ଅଭାବ କାରଣରୁ ଦେଖାଯାଏ, ଜାଣନ୍ତୁ
ଭିଟାମିନ୍ ଅଭାବର ବିଭିନ୍ନ ଲକ୍ଷଣ ମଧ୍ୟରୁ ଜିଭରେ ଘା' କିମ୍ବା କିଛି ସମସ୍ୟା ହେବା ଅନ୍ୟତମ । ଏହି ସମସ୍ୟା ସାଧାରଣ ହେଲେ ମଧ୍ୟ ଅଣଦେଖା କାରଣରୁ ବେଳେ ବେଳେ ଗମ୍ଭୀର ହୋଇପାରେ । ଜିଭରେ କୁଞ୍ଚନ, ଛିଣ୍ଡିଯିବା ଭଳି ଦେଖାଯିବା, ଜିଭ ଫାଟିବା ଏବଂ ଘା' ଗମ୍ଭୀର ସଙ୍କେତ ହୋଇପାରେ । ଭିଟାମିନ୍ B12, ଭିଟାମିନ୍ B9(ଫୋଲେଟ୍) ଏବଂ ଫେରିଟିନ୍(ଏକ ପ୍ରୋଟିନ୍ ଯାହା ଲୌହରେ ଗଚ୍ଛିତ) ଅଭାବ କାରଣରୁ ଦେଖାଯାଏ ।
ଏହି କାରଣରୁ ଖାଦ୍ୟ ଗ୍ରହଣରେ ନାନା ସମସ୍ୟା ହୋଇଥାଏ । ମସଲା ଯୁକ୍ତ ଖାଦ୍ୟ ଖାଇବା ସମୟରେ ପାଟିରେ ଜ୍ବଳନ ମଧ୍ୟ ହୁଏ । ଏଥିପାଇଁ ଡାକ୍ତରମାନେ ସାଇଟ୍ରସ୍ ଏବଂ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି । ଏହି ସମସ୍ୟା କ୍ଷେତ୍ରରେ ପାଟିର ସ୍ୱଚ୍ଛତା ବଜାୟ ରଖିବା ନିହାତି ଜରୁରୀ । ଦନ୍ତ ଚିକିତ୍ସକଙ୍କ ସହିତ ମଧ୍ୟ ପରାମର୍ଶ କରାଇବା ଉଚିତ୍ । ଏଥିପାଇଁ ଚିକିତ୍ସା ଥିଲେ ମଧ୍ୟ ଖାଦ୍ୟରେ କେତେକ ପରିବର୍ତ୍ତନ ଏବଂ ଭିଟାମିନ୍ ଗ୍ରହଣ ଦ୍ବାରା ଜିଭ ସମସ୍ୟା ଦୂର ହୋଇଥାଏ ।