ହାଇଦ୍ରାବାଦ: ଶୀତଦିନକୁ ସାଧାରଣତଃ ଥଣ୍ଡାର ଦିନ ବୋଲି କୁହାଯାଏ । ଏହି ଋତୁରେ ପିଲାଠୁ ବୟସ୍କ ସମସ୍ତଙ୍କୁ ନାନା ରୋଗ ମାଡିବସେ । ବିଶେଷ କରି ଥଣ୍ଡା, କାଶ ଜ୍ବର ଆଦି ସାଧାରଣ ରୋଗ ହୋଇଥାଏ । ଏହି ରୋଗ ମଧ୍ୟରେ ନିମୋନିଆ(pneumonia) ମଧ୍ୟ ରହିଛି । ନିମୋନିଆ ହେଉଛି ଫୁସଫୁସରେ ଏକ ସଂକ୍ରମଣ, ଯାହା ଶରୀରରେ ଥିବା ବାୟୁ ଥଳିକୁ ସଂକ୍ରମିତ କରିଥାଏ । ରୋଗର କାରଣ ଯାହା ହେଉନା କାହିଁକି, ଜୀବାଣୁ କିମ୍ବା ଭୂତାଣୁ ଓ ଅଳ୍ପ ମାତ୍ରାରେ କବକ କିମ୍ବା ପରଜୀବୀ ନିମୋନିଆ ପାଇଁ ଦାୟୀ ବୋଲି ବିବେଚନା କରାଯାଏ । ତେବେ ଶୀତଋତୁରେ ନିମୋନିଆ କବଳରୁ କେମିତି ବର୍ତ୍ତିବେ ଜାଣନ୍ତୁ(pneumonia prevention)...
ଏହି ସଂକ୍ରମଣରେ, ସଂକ୍ରମିତ ବ୍ୟକ୍ତିଙ୍କ ଫୁସଫୁସରେ ଥିବା ବାୟୁ ଥଳି(Alveolus) ପ୍ରଦାହକୁ ନିମୋନିଆ କୁହାଯାଏ, ଯାହାଦ୍ୱାରା ଜଣେ ବ୍ୟକ୍ତି କାଶ, ଛାତି ଯନ୍ତ୍ରଣା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୁଏ । ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହେଲେ, ବେଳେ ବେଳେ ପୀଡ଼ିତାଙ୍କ ଜୀବନ ନଷ୍ଟ ହୋଇଯାଏ । ଡାକ୍ତରମାନେ କହନ୍ତି ଯେ, ସାଧାରଣ ପରିସ୍ଥିତିରେ ନିମୋନିଆ ସର୍ବଦା ସାଂଘାତିକ ନୁହେଁ, କିନ୍ତୁ ଯଦି ଏହାର ଚିକିତ୍ସା ବିଳମ୍ବ ହୁଏ, ତେବେ ଏହାର ଗମ୍ଭୀର ପ୍ରଭାବ ଦେଖାଯିବା ଆରମ୍ଭ କରେ ।
ବର୍ତ୍ତମାନ ନିମୋନିଆ ପ୍ରତିଷେଧ ନିମନ୍ତେ ଟିକା ଉପଲବ୍ଧ ହେଲାଣି । ଅନ୍ତର୍ନିହିତ କାରଣ ଉପରେ ଏହାର ଚିକିତ୍ସା ନିର୍ଭର କରେ । ଜୀବାଣୁଦ୍ୱାରା ହେଉଥିବା ନିମୋନିଆକୁ ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ରୋଗୀ ଅବସ୍ଥା ସାଂଘାତିକ ଥିଲେ ଡାକ୍ତରଖାନାକୁ ନିଆଯାଏ । ଅମ୍ଳଜାନ ସ୍ତର କମ୍ ଥିଲେ ଅମ୍ଳଜାନ ଥେରାପି ଦିଆଯାଏ । ଆମ ଦେଶରେ ପିଲାମାନଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ନିୟମିତ ଟୀକାକରଣର ଏକ ଅଂଶ ଭାବରେ PCV ବିରୁଦ୍ଧରେ ଟୀକାକରଣ କରାଯାଏ, ଯାହାକି ନବଜାତ ଶିଶୁ ଏବଂ ଛୋଟ ପିଲାମାନଙ୍କୁ 2, 4, 6, 12 ଏବଂ 15 ମାସ ବୟସରେ ଦିଆଯାଏ । ତଥାପି ପ୍ରତ୍ୟେକ ରୋଗରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ । ନିମୋନିଆରୁ ବର୍ତ୍ତିବା ପାଇଁ କେଉଁପରି ସତର୍କ ରହିବେ, ଜାଣନ୍ତୁ...
ହାତ ସଫା ରଖନ୍ତୁ: ଶ୍ୱାସକ୍ରିୟା ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ହାତର ସ୍ବଚ୍ଛତା ବଜାୟ ରଖିବା ଅପରିହାର୍ଯ୍ୟ । ସାବୁନ୍ ଏବଂ ପାଣିରେ ନିୟମିତ ଭାବେ ହାତ ଧୋଇବା ସହ ଅତିକମରେ 20 ସେକେଣ୍ଡ ପର୍ଯ୍ୟନ୍ତ ସ୍କ୍ରବ୍(ଘଷିବା) କରନ୍ତୁ । ଯଦି ହାତ ଧୋଇବାରେ ସକ୍ଷମ ହେଉନାହାନ୍ତି, ତେବେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ ।