ହାଇଦ୍ରାବାଦ:ପରିସ୍ରା ଏକ ପ୍ରାକୃତିକ ପ୍ରକ୍ରିୟା । ସଠିକ ସମୟରେ ଏବଂ ନିୟମିତ ପରିସ୍ରା ହେଲେ ଜଣେ ବ୍ୟକ୍ତି ସୁସ୍ଥ ବୋଲି ବିବେଚନା କରାଯାଏ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ପରିସ୍ରା କିମ୍ବା ବାରମ୍ବାର ପରିସ୍ରା ଲାଗିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଅନେକଙ୍କର ପରିସ୍ରାକୁ ନେଇ ସମସ୍ୟା ଦେଖାଗଲେ ମଧ୍ୟ ଅନେକ ଅଣଦେଖା କରିଥାଆନ୍ତି । କିନ୍ତୁ ଏହା ଅନେକ ରୋଗର କାରଣ ହୋଇପାରେ ବୋଲି ମଧ୍ୟ କୁହାଯାଇଛି ।
ଯଦି ଜଣେ ବ୍ୟକ୍ତିକୁ କ୍ରମାଗତ ଭାବେ ପରିସ୍ରା ହୁଏ ତେବେ ଏହା ପଛରେ ମଧୁମେହ ବା ମୂତ୍ରନଳୀ ସଂକ୍ରମଣ (UTI) ଭଳି ସମସ୍ୟା ହୋଇପାରେ । ଆଜିକା ସମୟରେ ମଧ୍ୟ ଏଭଳି ଲୋକ ଅଛନ୍ତି ଯେଉଁମାନେ କି ଜାଣନ୍ତିନି ଦିନକୁ କେତେ ଥର ପରିସ୍ରା କରିବା ସ୍ବାଭାବିକ । ରିପୋର୍ଟ ଅନୁସାରେ, ବାରମ୍ବାର ପରିସ୍ରା କରିବା ପଛରେ ଅନେକ ସାଧାରଣ କାରଣ ଥାଇପାରେ । ଯେପରିକି ଅଧିକ ପାଣି ପିଇବା, କଫିନ ସେବନ ଏବଂ ଗର୍ଭଧାରଣ ଇତ୍ୟାଦି । ଲିଙ୍ଗ ଏବଂ ବୟସ ଅନୁସାରେ ପରିସ୍ରାର ଆବୃତ୍ତି ଭିନ୍ନ ବୋଲି ବିବେଚନା କରାଯାଏ । ସାଧାରଣତଃ ଦିନକୁ ୮ରୁ ୧୦ ଥର ପରିସ୍ରା କରିବା ସ୍ବାଭାବିକ ବୋଲି କୁହାଯାଏ ।
ମଧୁମେହ ରୋଗୀଙ୍କୁ କାହିଁକି ଅଧିକ ପରିସ୍ରା ହୁଏ:ମଧୁମେହ ରୋଗୀଙ୍କ କ୍ଷେତ୍ରରେ ରକ୍ତରେ ଶର୍କରା ସ୍ତର ବହୁତ ଅଧିକ ହୋଇଯାଇଥାଏ । ଶରୀରରେ ଇନସୁଲିନର ଅଭାବ କିମ୍ବା ଏହାର ପ୍ରତିରୋଧ ହେତୁ ଗ୍ଲୁକୋଜ ବ୍ୟବହାର ହୋଇପାରେ ନାହିଁ । ଫଳରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ରକ୍ତରେ ଶର୍କରା ସ୍ତର ଅଧିକ ହେବା ଦ୍ବାରା ଜଣେ ବ୍ୟକ୍ତି ଅଧିକା ତୁଷାର୍ତ୍ତ ଅନୁଭବ କରିଥାଆନ୍ତି । ଶରୀରରେ ଗ୍ଲୁକୋଜର ପରିମାଣ ବଢିବା ସହିତ କିଡନୀରେ ପରିସ୍ରା ପ୍ରକ୍ରିୟା ତ୍ବରାନ୍ବିତ ହୋଇଥାଏ । ତେଣୁ ମଧୁମେହ ରୋଗୀଙ୍କୁ ଅଧିକ ପରିସ୍ରା ହୋଇଥାଏ ।