ହାଇଦ୍ରାବାଦ: କର୍କଟ ରୋଗ କାରଣରୁ ଦେଶ ତଥା ବିଶ୍ୱରେ ଶତାଧିକ ଲୋକଙ୍କ ଜୀବନ ଯାଉଛି । ଚିକିତ୍ସାର ଅଭାବ ଏବଂ କର୍କଟ ରୋଗ ବିଷୟରେ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ହୋଇପାରେ । ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ, 1990 ମସିହା ପରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ପୂର୍ବ ପିଢି ଅପେକ୍ଷା 50 ବର୍ଷ ବୟସ ପୂର୍ବରୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ।
କର୍କଟ ଜେନେଟିକ୍ କାରଣରୁ ହେଉଥିଲେ ମଧ୍ୟ ଏହାର ମୁଖ୍ୟ 10ଟି ଅନ୍ୟାନ୍ୟ କାରଣ ରହିଛି । ସେଗୁଡିକ ମଧ୍ୟରେ ମେଦବହୁଳତା, ଧୂମପାନ, ମଦ୍ୟପାନ, ଅସୁରକ୍ଷିତ ଯୌନ ସମ୍ପର୍କ, ରକ୍ତରେ ଶର୍କରା ସ୍ତର ବୃଦ୍ଧି, ବାୟୁ ପ୍ରଦୂଷଣ ଇତ୍ୟାଦି । ସବୁଠୁ ବଡ କଥା ହେଉଛି କି, ବର୍ତ୍ତମାନ କ୍ୟାନସର ଉପଚାର ହୋଇପାରୁଛି । ଯେତେ ଜଟିଳ କ୍ୟାନସର ହୋଇଥିଲେ ମଧ୍ୟ ସଠିକ୍ ସମୟରେ ରୋଗ ନିରୂପଣ ହୋଇପାରିଲେ ରୋଗ ଉପଚାର ସମ୍ଭବ । ତେଣୁ ସଠିକ୍ ସମୟରେ ରୋଗ ଚିହ୍ନଟ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରୋଗର ଲକ୍ଷଣ ବାବଦରେ ଜାଣିବା ନିହାତି ଜରୁରୀ । ନିମ୍ନରେ କେତେକ କର୍କଟର ସାଧାରଣ ଲକ୍ଷଣ ବାବଦରେ ବର୍ଣ୍ଣନା କରାଯାଇଛି...
- ଶରୀରର କୌଣସି ଅଙ୍ଗରେ ବିନା କାରଣରେ ଦୀର୍ଘଦିନ ଧରି ଯନ୍ତ୍ରଣା ଲାଗି ରହିବା ।
- ବିନା କାରଣରେ ହଠାତ୍ ଓଜନ ହ୍ରାସ ।
- ସବୁବେଳେ କ୍ଳାନ୍ତ ଅନୁଭବ କରିବା ।
- ନିମ୍ନ କିମ୍ବା ସ୍ଥାୟୀ ଜ୍ୱର ଅର୍ଥାତ୍ କମ୍ ଜ୍ବର ହେଲେ ବି ଦୀର୍ଘ ସମୟ ଲାଗି ରିହିବା ।
- ଚର୍ମ ରଙ୍ଗରେ ପରିବର୍ତ୍ତନ ।
- ଶରୀରର କୌଣସି ଅଙ୍ଗରୁ ଅସ୍ୱାଭାବିକ ଭାବେ ରକ୍ତସ୍ରାବ ।
- ଚର୍ମ କିମ୍ବା ମୁଖରେ ଘା’ ଭଲ ନହେବା ।