ହାଇଦ୍ରାବାଦ: କିଡନୀ ବା ବୃକକ ଶରୀରରୁ ବର୍ଜ୍ୟବସ୍ତୁ ଏବଂ ଅତ୍ୟଧିକ ତରଳ ପଦାର୍ଥ ନିଷ୍କାସନ କରି ଶାରୀରିକ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ । କିଡନୀ ଶରୀରରେ ଲବଣ, ଜଳ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥର ସ୍ତରକୁ ମଧ୍ୟ ସଜାଡି ହରମୋନାଲ ସନ୍ତୁଳନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମାତ୍ର କିଡନୀ କାର୍ଯ୍ୟ ଠିକ୍ରେ ପରିଚାଳନା ହୋଇନପାରିଲେ ନାନା ରୋଗ ସୃଷ୍ଟି ହୋଥାଏ । ସେଥିମଧ୍ୟରୁ ପଲିସିଷ୍ଟିକ କିଡନୀ ରୋଗ(Polycystic kidney disease) ଅନ୍ୟତମ । ତେବେ ଏହି ରୋଗ କଣ, କାହିଁକି ହୁଏ ଏବଂ ଏହାର ଲକ୍ଷଣ ବାବଦରେ ଜାଣନ୍ତୁ ।
ପଲିସିଷ୍ଟିକ କିଡନୀ ରୋଗ ଏକ ଅନୁବଂଶିକ ରୋଗ, ଯାହା ବୃକ୍କ ମଧ୍ୟରେ ଅନେକ ସିଷ୍ଟ୍ ସୃଷ୍ଟି କରିଥାଏ । ଏହାକୁ ପିକେଡି(PKD) ମଧ୍ୟ କୁହାଯାଏ । ଏହି ରୋଗ ଜନ୍ମ ପୂର୍ବରୁ, ବାଲ୍ୟକାଳରେ କିମ୍ବା ବୟସ୍କ ଅବସ୍ଥାରେ ସୃଷ୍ଟି ହୋଇପାରେ । ଜନ୍ମ ପୂର୍ବରୁ ସୃଷ୍ଟି ହୋଇଥିଲେ ଶାରୀରିକ ବିକାଶ ବାଧାପ୍ରାପ୍ତ ହୁଏ କିମ୍ବା ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇପାରେ । ଅନ୍ୟଥା ଉଦର ପାର୍ଶ୍ୱ ଯନ୍ତ୍ରଣା, ୟୁରିନରେ ରକ୍ତ ପଡିବା ଏବଂ ମୁଣ୍ଡ ବିନ୍ଧା ଆଦି ଲକ୍ଷଣଗୁଡ଼ିକ ଦେଖାଯାଇପାରେ । ରୋଗ ଜଟିଳ ହେଲେ କିଡନୀ ଫେଲ୍, ଉଚ୍ଚ ରକ୍ତଚାପ, ଲିଭର୍ ସିଷ୍ଟ୍, ଏବଂ ସେରେବ୍ରାଲ ଆନିଉରିଜିମ ହୋଇପାରେ ।
କାରଣ:-
ଜେନେଟିକ ମ୍ୟୁଟେସନ ଫଳରେ ଏହା ଘଟିଥାଏ । ସାଧାରଣତଃ ଏହା ପିତାମାତାଙ୍କଠାରୁ ଆସିଥାଏ, କିମ୍ବା ଅନ୍ୟକେହି ପରିବାର ସଦସ୍ୟ ଏହି ରୋଗରେ ପୀଡିତ ଥିଲେ ଏହା ହୋଇଥାଏ । କ୍ବଚିତ ପ୍ରାଥମିକ ବିକାଶ ସମୟରେ ମଧ୍ୟ ଏହା ସୃଷ୍ଟି ହୋଇପାରେ । ଅଣ-କାର୍ଯ୍ୟକ୍ଷମ ଟ୍ୟୁବୁଲ ଭିତରକୁ ତରଳ ପଦାର୍ଥ ପମ୍ପ ହୋଇଗଲେ ଏହି ସିଷ୍ଟ୍ ସୃଷ୍ଟି ହୋଇଥାଏ ।