ଅନେକ ସମୟରେ ପିଲାଙ୍କୁ ଜଙ୍କ୍ ଫୁଡ୍ ଖାଇବାରୁ ଦୂରେଇ ରଖିବା କଷ୍ଟକର ହୋଇଥାଏ । ଯେ କୌଣସି ଜିନିଷ ଅତ୍ୟଧିକ ପରିମାଣର ଖାଇବା ସ୍ବାସ୍ଥ୍ୟ ପକ୍ଷରେ ସର୍ବଦା କ୍ଷତିକାରକ । ଜଙ୍କ୍ ଫୁଡରେ ଅଧିକ କ୍ୟାଲୋରି ଏବଂ ଅସ୍ବାସ୍ଥ୍ୟକର ଚର୍ବି ଥାଏ ଯାହାକି ମେଦବହୁଳତା ବା ମୋଟାପଣ ଏବଂ ଶର୍କରା ସ୍ତର ବଢାଇଥାଏ । ଯେହେତୁ ଶରୀରରେ ବର୍ଦ୍ଧିତ ଶର୍କରା ଏବଂ କୋଲେଷ୍ଟ୍ରଲ ସ୍ତର ଆମ କିଡନି ଉପରେ ଅଧିକ ପ୍ରଭାବ ପକାଇଥାଏ, ତେଣୁ ମାତ୍ରାଧିକ ଜଙ୍କ ଫୁଡ୍ ଖାଇବା ଦ୍ବାରା ମେଦବହୁଳତା ବଢିଥାଏ ଏବଂ ଏହା କିଡନି ଉପରେ ଅଧିକ ଚାପ ପକାଏ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖାଦ୍ୟ ଏବଂ ଜଙ୍କ୍ ଫୁଡ୍ ବେଶୀ ପରିମାଣରେ ଖାଇବା ଦ୍ବାରା ମଧୁମେହ ରୋଗ ସହିତ ଅନେକ ଦିନ ପରେ କିଡନି ନଷ୍ଟ ହୋଇଯାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି ବୋଲି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲସର ରେନାଲ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ତଥା ସିନିଅର କନସଲଟାଣ୍ଟ ସୁନ୍ଦୀପ ଗୁଲେରିଆ କହିଛନ୍ତି ।
ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଜୀନବଶୈଳୀରେ ବ୍ୟାୟାମ ଏବଂ ଶାରିରୀକ କାର୍ଯ୍ୟକଳାପ ପିଲାଙ୍କ ଦୈନନ୍ଦିନ ରୁଟିନରେ ଆଉ ଦେଖିବାକୁ ମିଳୁନାହିଁ । ବିନା ବ୍ୟାୟାମ ଓ ଶାରିରୀକ ପରିଶ୍ରମ ଯୋଗୁଁ ଶରୀରରେ ରହୁଥିବା ଅତିରିକ୍ତ କ୍ୟାଲୋରି ନଷ୍ଟ ହୋଇନଥାଏ, ଆଉ ଏ ସମୟରେ ଅସ୍ବାସ୍ଥ୍ୟକର ଏବଂ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଆପଣଙ୍କ ପିଲାଙ୍କ ସ୍ବାସ୍ଥ୍ୟକୁ ଅଧିକ ଖରାପ କରିଥାଏ । ପିଲାଙ୍କ ମଧ୍ୟରେ କିଡନି ରୋଗ କିଡନି ରୋଗର ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ, ଅନେକ ସମୟରେ ଏହା ନିରୁପଣ ହୋଇପାରେ ନାହିଁ । ଯେତେବେଳେ ଶରୀରରେ ଏହାର ଲକ୍ଷଣ ଦେଖିବା ଆରମ୍ଭ କରି ସେତେବେଳେ ପ୍ରାୟ 50ରୁ 60 ପ୍ରତିଶତ କ୍ଷତି ହୋଇ ସାରିଥାଏ । ଯଦିଓ ପିଲାଙ୍କ ମଧ୍ୟରେ କ୍ରୋନିକ୍ କିଡନି ରୋଗ ବିଶେଷତଃ ଦେଖା ଦେଇ ନଥାଏ, ତେବେ ସେମାନେ
ଆଜିକାଲି ଯେଉଁଭଳି ଜୀବନଶୈଳୀରେ ବଢୁଛନ୍ତି ତାହା ସେମାନଙ୍କ ମଧ୍ୟରେ କିଡନି ରୋଗ ବଢିବାର ବିପଦକୁ ବଢାଇ ଦେଉଛି ବୋଲି ସେ କହିଛନ୍ତି । କିଡନିର କାମ ହେଉଛି ଶରୀରର ସମସ୍ତ ଆବର୍ଜନା ସଂଗ୍ରହ କରି ଏହାକୁ ବାହାରକୁ ବାହାର କରିବା । ନେଫ୍ରନ ନାମକ ଏକ ଛୋଟ ମାଇକ୍ରୋସ୍କୋପିକ୍ ୟୁନିଟ୍ କିଜନିରୁ ବିଷାକ୍ତ ପଦାର୍ଥ ଏବଂ ବର୍ଜ୍ୟବସ୍ତୁ ବାହାର କରିବାରେ ଏବଂ ଆମେ ଖାଉଥିବା ଖାଦ୍ୟରୁ ଅଧିକ ଜଳ ଗ୍ରହଣ କରିବାରେ ସାହାଯ୍ୟ କରେ । ଏହି ପ୍ରକ୍ରିୟାରେ ସୋଡିୟମ, ଫସଫରସ ଏବଂ ପୋଟାସିୟମ ଭଳି ରାସାୟନିକ ଅଂଶକୁ କିଡନି ଶରୀରରେ ପ୍ରବାହିତ ରକ୍ତ ମଧ୍ୟକୁ ଛାଡିଥାଏ ଏବଂ ବଳକା ରହୁଥିବା ଅଧିକ ଜଳ ସହିତ ଅନ୍ୟ ବର୍ଜ୍ୟବସ୍ତୁ ମିଶାଇ ଶରୀର ବାହାରକୁ ବାହାର କରିଦିଏ ।
ଏକ ସୁସ୍ଥ ଶରୀର ପାଇଁ କିଡନି ସୁସ୍ଥ ରହିବା ଏବଂ ଠିକ୍ ଭାବେ କାମ କରିବା ଅତି ଜରୁରୀ । ଏବେ କ୍ରମଶଃ ପିଲାଙ୍କ ମଧ୍ୟରେ ମେଦବହୁଳତା ଏବଂ ଉଚ୍ଚ ଶର୍କରା ସ୍ତର କ୍ରମଶଃ ବଢିବାରେ ଲାଗିଛି । ଫଳରେ ଖୁବ୍ କମ୍ ବୟସର ପିଲା କିଡନି ରୋଗରେ ପଡୁଛନ୍ତି । କେବଳ ମେଦବହୁଳତା ଏବଂ ରକ୍ତ ଶର୍କରା ସ୍ତର ବୃଦ୍ଧି ଯୋଗୁଁ କିଡନି ଉପରେ ପ୍ରଭାବ ପଡିନଥାଏ, ବାରମ୍ବାର ହେଉଥିବା ଏକ ରୋଗର ନିଦାନ ଦ୍ବାରା ମଧ୍ୟ କିଡନି ପ୍ରଭାବିତ ହୋଇଥାଏ । ଅଧିକନ୍ତୁ ଔଷଧ ଖାଇବା ଦ୍ବାରା ରକ୍ତ ପ୍ରବାହରେ ବିଷାକ୍ତ ଜିନିଷର ମାତ୍ରା ବଢିଥାଏ ଏବଂ ଏହାକୁ ବାହାର କରିବା ପାଇଁ କିଡନି ଉପରେ ଅଧିକ ଚାପ ପଡ଼େ ।