ହାଇଦ୍ରାବାଦ:ଆଜି ପବିତ୍ର ଇଦ । ଆଜିର ପର୍ବ ତ୍ୟାଗ ଓ ବଳିଦାନର ପର୍ବ । ଏନେଇ ଚଳଚଞ୍ଚଳ ସାରା ଦେଶର ସମସ୍ତ ମସଜିଦ । ଏହି ପବିତ୍ର ପର୍ବକୁ ସମଗ୍ର ଦେଶରେ ଆଜି ମୁସଲମାନ ଭାଇ ଭଉଣୀମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି । ମୁସଲିମ ସଂପ୍ରଦାୟର ତ୍ୟାଗ ଆଉ ବଳିଦାନର ପର୍ବ ହେଉଛି ଇଦ-ଉଲ-ଜୁହା ବା ବକ୍ରିଇଦ୍ । ଇସଲାମ ଧର୍ମରେ ଏହି ଉତ୍ସବ ପାଳନ କରିବା ହେଉଛି ଏକ ପ୍ରଥା।
ପବିତ୍ର ରମଜାନ ମାସ ଶେଷ ହେବାର ପ୍ରାୟ 70 ଦିନ ପରେ ଏହାକୁ ପାଳନ କରାଯାଏ । ସାଧାରଣତଃ ଏହାକୁ ବଳିଦାନର ପର୍ବ ମଧ୍ୟ କୁହାଯାଏ । ଇସଲାମ କ୍ୟାଲେଣ୍ଡରରେ ଏହାକୁ ଇଦ୍-ଉଲ-ଅଜହା ନାମରେ ଜଣାଯାଇଥାଏ । ବିଶ୍ବର ସମସ୍ତ ଇସଲାମ ଧର୍ମର ଲୋକମାନେ ଗୁରୁବାର ଦିନ ବକ୍ରି ଇଦ ପାଳନ କରିବେ । ଇଦ୍-ଉଲ୍-ଫିତର ପରେ ଏହା ମୁସଲମାନମାନଙ୍କର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବରେ ବିବେଚନା କରାଯାଏ । ଏହି ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଖାଇବା ପିଇବା ଅଟେ । ଆଜି ମାଂସ ଖାଇବା ସହ ବଣ୍ଟନ ମଧ୍ୟ କରିବେ ମୁସଲିମ ସଂପ୍ରଦାୟ । ଏହା ବ୍ୟତୀତ ରୀତିନୀତି ଅନୁଯାୟୀ ଅନ୍ୟାନ୍ୟ ଅନେକ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ପର୍ବ ଅବସରରେ ଖାଦ୍ୟ ପ୍ରିୟଜନଙ୍କ ସହ ବାଣ୍ଟି ଦିଆଯାଏ । ବିରିୟାନି, କବାବ, ମଟନ୍ କଷା ଏବଂ ଶିର ଖୁରମା ଭଳି ଖାଦ୍ୟ ଏହି ଅବସରରେ କରାଯାଇଥାଏ । ମୁସଲିମମାନେ ନିଜ ଘରେ ଏହି ଖାଦ୍ୟ ତିଆରି କରିବା ସହ ବାଣ୍ଟିଥାନ୍ତି ।
ଶିକ କବାବ: ଇଦ୍ ସମୟରେ ପରିବେଷିତ ଏକ ସୁସ୍ବାଦୁ ଖାଦ୍ୟ ହେଉଛି ଶିକ କବାବ । ଏହା ମେଣ୍ଢା କିମ୍ବା ଗୋମାଂସରେ ତିଆରି ହୋଇଥାଏ । ମାଂସକୁ ଗ୍ରାଇଣ୍ଡିଂ କରିବା ପରେ ପିଆଜ, ମସଲା ହଳଦି ଦେଇ ନିଆଁରେ ପୋଡା ଯାଇଥାଏ । ଆଜି ପ୍ରାୟ ମୁଲସିମ ସଂପ୍ରଦାୟର ଲୋକଙ୍କ ଘରେ ଏହି ଖାଦ୍ୟ ହୋଇଥିବ । ଏହାକୁ ସକାଳ କିମ୍ବା ସନ୍ଧ୍ୟା ଜଳଖିଆରେ ଖାଇପାରିବେ ।
ମଟନ ବିରିୟାନି:ଇଦ୍ ବିରିୟାନି ବିନା ହୋଇପାରିବ କି ? କୁହାଯାଏ ବିରିୟାନି ବିନା ଇଦ ଅଧୁରା । ତେଣୁ ବାସୁମତି ଚାଉଳର ବିରିୟାନି ଖାଇଥାଆନ୍ତି ମୁସଲିମ ଭାଇଭଉଣୀ । ପ୍ରଥମେ ବାସୁମତି ଚାଉଳ ତିଆରି କରିବା ପରେ ଅଲଗାରେ ବିରିୟାନି ମସଲା ପ୍ରସ୍ତୁତ କରାଯାଇଥାଏ । ଏହାପରେ ଦୁହିଁକି ମିସାଇ ସୁଗନ୍ଧିତ ଏସେନ୍ସ ଦିଆଯାଇଥାଏ । ଏହାପରେ ବାସୁମତି ଚାଉଳରେ ତିଆରି ମଟନ୍ ବିରିୟାନି ରାଇତା ଏବଂ ସଲାନ୍ ସହିତ ପରିଷି ଦିଆଯାଇଥାଏ ।