ହାଇଦ୍ରାବାଦ:ଭାରତୀୟ ଖାଦ୍ୟପେୟରେ ଚା'ର ରହିଛି ସ୍ବତନ୍ତ୍ର ଭୂମିକା । ସକାଳ ଶଯ୍ୟା ତ୍ୟାଗ ପରଠାରୁ ଆରମ୍ଭ ହୋଇଯାଏ ଚା'ର ଆସର । ଘରକୁ ବନ୍ଧୁ ପରିଜନ ଆସିଲେ ପ୍ରଥମେ ପରସା ଯାଏ ଚା' । ଅଧିକାଂଶ ପରିବାରରେ ଦିନକୁ ଦୁଇରୁ ତିନି ଥର ଚା' ପ୍ରସ୍ତୁତ ହେଉଥିବ ନିଶ୍ଚୟ । ଏକ ଅଭ୍ୟାସ ଥାଏ କି ପୂର୍ବ ପ୍ରସ୍ତୁତ ଚା'କୁ ଗରମ କରି ପିଇଦେବା କିମ୍ବା ସେଥିରେ ମିଶାଇ ଆଉ କିଛି ପରିମାଣରେ ନୂଆ ପ୍ରସ୍ତୁତ କରିଦେବା, ଯଦି ଆପଣ ମଧ୍ୟ ଏପରି ଅଭ୍ୟାସ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ! ପୂର୍ବରୁ ତିଆରି ଚା'କୁ ବାରମ୍ବାର ପିଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ତେବେ ଏହାର କି କି ଅପକାରୀ ଗୁଣ ରହିଛି, ଜାଣନ୍ତୁ...
ପ୍ରତ୍ୟେକ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହୋଇ ବାହାରେ ରହିବା ଫଳରେ ଖରାପ ହୋଇଯାଇଥାଏ । ସେହିପରି ଚା' ମଧ୍ୟ । ଚା' ତିଆରି କରିବା ପରେ ବାରମ୍ବାର ଗରମ କରିବାର ସବୁଠାରୁ ବଡ ଅସୁବିଧା ହେଉଛି ଏହା କେବଳ ସ୍ୱାଦ ହରାଏ ନାହିଁ ବରଂ ଚା' ଭିତରେ ଥିବା ପୋଷକ ତତ୍ତ୍ୱକୁ ମଧ୍ୟ ନଷ୍ଟ କରିଦିଏ । ଗରମ ଚା' ପିଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ବାନ୍ତି, ଝାଡ଼ା ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ ।
ମାଇକ୍ରୋବାୟଲ୍ ବିପଦ:-ଯଦି ଆପଣ ଦୀର୍ଘ ସମୟ ପାଇଁ ଚା' ତିଆରି କରି ରଖି ଦେଉଛନ୍ତି, ଏହି ସମୟ ମଧ୍ୟରେ ଅନେକ ବ୍ୟାକ୍ଟେରିଆ ଏବଂ ଜୀବାଣୁ ଚା' ଭିତରକୁ ପ୍ରବେଶ କରନ୍ତି । ଏପରି ପରିସ୍ଥିତିରେ, ଯଦି ସେହି ଚା'କୁ ଗରମ କରି ପିଆଯାଏ, ତେବେ ଏଥିରେ ମାଇକ୍ରୋବସ୍ ଉତ୍ପାଦନ ହେବାର ଆଶଙ୍କା ଥାଏ । ଅଧିକାଂଶ ଘରେ କ୍ଷୀର ଚା' ତିଆରି କରାଯାଏ, ଏହି କାରଣରୁ ମାଇକ୍ରୋବାୟାଲ ପ୍ରଦୂଷଣର ଆଶଙ୍କା ଅଧିକ ହୋଇଥାଏ । ଅନ୍ୟପଟେ, ଯଦି ଆପଣ ବାରମ୍ବାର ଗରମ କରିବା ପରେ ହର୍ବାଲ୍ ଚା' ପିଉଛନ୍ତି, ତେବେ ସେଥିରେ ଥିବା ପୁଷ୍ଟିକର ତତ୍ତ୍ବ ମଧ୍ୟ ନଷ୍ଟ ହୋଇଯାଏ । ସେହିପରି ଏହା କରିବା ଦ୍ବାରା ଚା'ରୁ ଟେନିନ୍ ବାହାରିଥାଏ, ଯେଉଁ କାରଣରୁ ଚା'ର ସ୍ୱାଦ ସମ୍ପୂର୍ଣ୍ଣ ତିକ୍ତ ହୋଇଯାଏ, ଏହା ପାଟିର ସ୍ୱାଦକୁ ମଧ୍ୟ ନଷ୍ଟ କରିପାରେ ।