ହାଇଦ୍ରାବାଦ:କୋରୋନା ମହାମାରୀ ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିବାବେଳେ ପିଲାମାନେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି । ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ମହାମାରୀ କେବଳ ପିଲାମାନଙ୍କୁ ସେମାନଙ୍କର ଖେଳ ସମୟ ଏବଂ ସାମାଜିକ କଥାବାର୍ତ୍ତା ଆଦିକୁ ଛଡ଼ାଇ ନେଉନାହିଁ, ବରଂ ସେମାନଙ୍କର ଯୋଗାଯୋଗ ଦକ୍ଷତା ଉପରେ ମଧ୍ୟ ପ୍ରଭାବ ପକାଇଛି ।
ଏହା ଉପରେ ଅଧିକ ଗବେଷଣା କରିଛନ୍ତି ନ୍ୟୁୟର୍କ କଲମ୍ବିଆ ବିଶ୍ବବିଦ୍ୟାଳୟ ଓ ନ୍ୟୁୟର୍କ-ପ୍ରେଜବାଇଟେରିଆନ ମୋର୍ଗାନ ସ୍ଟାନଲେ ଚିଲଡ୍ରେନ୍ସ ହସ୍ପିଟାଲର କିଛି ବିଶେଷଜ୍ଞ । କୋରୋନା ମହାମାରୀ ସମୟରେ ଓ ଏହାର ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କ ସ୍ନାୟୁର ବିକାଶ ଉପରେ ସେମାନେ ଗବେଷଣା କରିଛନ୍ତି । ତେବେ ଗବେଷଣାରୁ ଜଣାପଡ଼ିଛି ଯେ କୋରୋନା ମହାମାରୀ କାଳରେ ଜନ୍ମ ନେଉଥିବା ନବଜାତଙ୍କ ମସ୍ତିଷ୍କ ମହାମାରୀ ପୂର୍ବରୁ ଜନ୍ମ ନେଉଥିବା ନବଜାତଙ୍କ ମସ୍ତିଷ୍କ ତୁଳନାରେ ଅଧିକ ଚତୁର ନଥିବା ଜଣାପଡ଼ିଛି । (ଉଭୟ ଗ୍ରୁପର ଶିଶୁଙ୍କ ପିତାମାତାଙ୍କୁ ପଚରା ଉଚୁରା କରିବା ପରେ ମିଳିଛି ନିଷ୍କର୍ସ) ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେମାନଙ୍କର ପିତାମାତା ମହାମାରୀ ଦ୍ବାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ରିପୋର୍ଟରେ କୁହାଯାଇଛି ଯେ ମହାମାରୀ ପାଇଁ ଲାଗୁ କରାଯାଇଥିବା ଲକଡାଉନ୍ ଅନେକ ପରିବାରକୁ ପୃଥକ କରିଦେଇଛି । ଫଳରେ ଶିଶୁମାନେ ଖେଳି ପାରୁନଥିବା ବେଳେ ସେମାନଙ୍କ ସାମାଜିକ କଥାବାର୍ତ୍ତା ଲୋପ ପାଇଛି । ଘର ଭିତରେ ବହୁ ସମୟ ଧରି ଆବଦ୍ଧ ହୋଇ ରହୁଥିବା ବେଳେ ସେମାନଙ୍କ ସାମାଜିକ ଯୋଗାଯୋଗ ଉପରେ ପ୍ରଭାବ ପଡ଼ିଛି । ଯାହାକି ସିଧାସଳଖ ଭାବେ ସେମାନଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି ।