ହାଇଦ୍ରାବାଦ: ଆମେ ପ୍ରାୟତଃ ଶୁଣିଥାନ୍ତି ଯେ, ସନ୍ତାନ ପ୍ରସବ କରିବାରେ ସମସ୍ୟା ନହେବା ପାଇଁ ପୁରୁଷ ଏବଂ ମହିଳାମାନେ କମ୍ ବୟସରେ ବିବାହ କରିବା ଉଚିତ୍ । ବିବାହ ପାଇଁ ସଠିକ୍ ବୟସ ଏକ ବିତର୍କଯୋଗ୍ୟ ବିଷୟ । କେତେକ ବିଶ୍ୱାସ କରନ୍ତି, ବିବାହ ପାଇଁ 20 ବର୍ଷ ସଠିକ୍ ବୟସ ହୋଇଥିବାବେଳେ ଆଉ କେତେକ ଦାବି କରନ୍ତି 30 ବର୍ଷ ଏଥିପାଇଁ ଉପଯୁକ୍ତ । ବିବାହ ସାଙ୍ଗକୁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସ ଥାଏ ବୋଲି ମଧ୍ୟ ବିବେଚନା କରାଯାଏ । ତେବେ ବାସ୍ତବରେ କେଉଁ ବୟସ ପିଲା ଜନ୍ମ ପାଇଁ ଉପଯୁକ୍ତ ଏ ପ୍ରଶ୍ନ ଅନେକଙ୍କ ମନରେ ସୃଷ୍ଟି ହୋଇଥିବ ନିଶ୍ଚୟ । ଏନେଇ ଅନୁସନ୍ଧାନ ଏବଂ ବିଶେଷଜ୍ଞମାନେ କଣ କୁହନ୍ତି, ଜାଣନ୍ତୁ...
ମେଡିକାଲ୍ ନ୍ୟୁଜ୍ ଟୁଡେ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସନ୍ତାନ ଜନ୍ମ କରିବାର କୌଣସି ସଠିକ୍ ବୟସ ନାହିଁ । ସାଧାରଣତଃ, ମହିଳାମାନେ ଯୁବାବସ୍ଥାରୁ ମେନୋପୋଜ(ଋତୁସ୍ରାବ ବନ୍ଦ ହେବା) ପର୍ଯ୍ୟନ୍ତ ସନ୍ତାନ ଜନ୍ମ କରିପାରିବେ । ଅନ୍ୟପଟେ, ପୁରୁଷମାନଙ୍କର 60 କିମ୍ବା 70 ବର୍ଷ ପର୍ଯ୍ୟନ୍ତ ପ୍ରଜନନ କ୍ଷମତା ଥାଏ । ଆମେରିକାନ୍ ସୋସାଇଟି ଫର୍ ରିପ୍ରଡକ୍ଟିଭ୍ ମେଡିସିନର ଏକ ରିପୋର୍ଟ ଅନୁସାରେ, ମହିଳାମାନେ 30 ବର୍ଷ ପୂର୍ବରୁ ପ୍ରଜନନରେ ସାମାନ୍ୟ ହ୍ରାସ ଅନୁଭବ କରନ୍ତି । 35 ରୁ 45 ବର୍ଷ ବୟସ ମଧ୍ୟରେ ପ୍ରଜନନ ଯଥେଷ୍ଟ କମିଯାଏ ।