ହାଇଦ୍ରାବାଦ:ଭାରତରେ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଲୋକମାନେ ଶୀଘ୍ର ପେଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ପ୍ରତ୍ୟେକ ବର୍ଷ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ହାଇଦ୍ରାବାଦର ଆଇବିଡି ସେଣ୍ଟରର ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଦେଶରେ 5 ପ୍ରତିଶତରୁ ଅଧିକ ଲୋକ ପ୍ରଦାହ ଜନିତ ଅନ୍ତଃସ୍ଥଳୀ ରୋଗ(Inflammatory bowel disease)ରେ ଆକ୍ରାନ୍ତ ହୋଇଛନ୍ତି। ଏଥି ଯୋଗୁଁ ପେଟ ଯନ୍ତ୍ରଣା, ଅନ୍ତନଳୀ ସଂକ୍ରମଣ, ଏସିଡିଟି, ଅଲସରାଟିଭ କୋଲାଇଟିସ୍ ଭଳି ସମସ୍ୟା ହୋଇଥାଏ । 2006 ମସିହା ପର୍ଯ୍ୟନ୍ତ, କେବଳ 0.1 ପ୍ରତିଶତ ଲୋକ ଏହି ରୋଗର ଶିକାର ହୋଇଥିଲେ, କିନ୍ତୁ ସମୟ ସହିତ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ରିପୋର୍ଟ ମେଡିକାଲ୍ ଜର୍ନାଲ୍ ଲାନସେଟ୍ ରିଜୋନାଲ ହେଲ୍ଥ ସାଉଥ୍ ଇଷ୍ଟ ଏସିଆରେ ପ୍ରକାଶିତ ହୋଇଛି ।
ବୃଦ୍ଧି ପାଉଛି ରୋଗ: ରିପୋର୍ଟ ଅନୁଯାୟୀ, କର୍କଟ, ହୃଦ୍ରୋଗ ଏବଂ ମଧୁମେହ ପରେ ପେଟ ସମ୍ବନ୍ଧୀୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଡାକ୍ତରଙ୍କ କହିବାନୁସାରେ, ଖରାପ ଖାଦ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ IBD ରୋଗ ହେଉଛି । ଅନେକ କ୍ଷେତ୍ରରେ, ରୋଗ ପ୍ରତିରୋଧକ ଶକ୍ତି ଏହାର ଏକ ବଡ଼ କାରଣ ହୋଇଛି । କାରଣ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥିବାରୁ ବ୍ୟକ୍ତି ଖୁବ ଶୀଘ୍ର ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗରେ ଆକ୍ରାନ୍ତ ହେବା ପରେ ଓଜନ ହ୍ରାସ, ଥକାପଣ ଏବଂ ପେଟ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ପେଟ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଇଛି । ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ସମସ୍ୟା ସବୁ ବୟସର ଲୋକଙ୍କ ମଧ୍ୟରେ ଦେଖାଯାଉଛି । କିନ୍ତୁ ପେଟ ସମସ୍ୟାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଯଦି ପେଟ ଯନ୍ତ୍ରଣା ଦୀର୍ଘ ସମୟ ଧରି ରହିଥାଏ, ତେବେ ତୁରନ୍ତ ଏହାର ଚିକିତ୍ସା କରାଯିବା ଉଚିତ ।