ହାଇଦ୍ରାବାଦ: ଗର୍ଭାଶୟ କର୍କଟ ବା ସର୍ଭାଇକଲ୍ କ୍ୟାନ୍ସର ରୋକିବା କ୍ଷେତ୍ରରେ ଆଉ ପାଦେ ଆଗେଇଲେ କେନ୍ଦ୍ର ସରକାର । ଦେଶରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଏହି ରୋଗର ଭୟାବହତାକୁ ଦୃଷ୍ଟିରେ ରଖି, ପ୍ରସ୍ତୁତ ହୋଇଥିବା ସ୍ବଦେଶୀ ଟିକା ହେଲା ଲଞ୍ଚ୍ । ଜାନୁଆରୀ 24, ଜାତୀୟ କନ୍ୟା ଦିବସ ଅବସରରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରଥମ ସ୍ୱଦେଶୀ ସର୍ଭାଇକଲ୍ କ୍ୟାନ୍ସର ଟିକା ସର୍ଭାଭାକ୍କୁ ଲଞ୍ଚ୍ କରିଛି । ଏହି ଟିକା ଉପରେ କରାଯାଇଥିବା ପୂର୍ବ ଅଧ୍ୟୟନର ଫଳାଫଳକୁ ଆଧାର କରି ଦାବି କରାଯାଇଛି ଯେ, ଏହା ଗର୍ଭାଶୟ କର୍କଟକୁ ରୋକିବାରେ ପ୍ରାୟ 100 ପ୍ରତିଶତ ପ୍ରଭାବଶାଳୀ ହୋଇପାରେ ।
କହିରଖୁଛୁ ଯେ, ଗର୍ଭାଶୟ କର୍କଟ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ମାରାତ୍ମକ କର୍କଟ ମଧ୍ୟରୁ ଅନ୍ୟତମ ଏବଂ ଗତ କିଛି ବର୍ଷ ମଧ୍ୟରେ ଏହାର ଭୟାବହତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପରିସଂଖ୍ୟାନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ମହିଳାଙ୍କଠାରେ ଗର୍ଭାଶୟ କର୍କଟ ଚିହ୍ନଟ ହୁଏ, ଯେଉଁଥିରୁ ପ୍ରତିବର୍ଷ ପ୍ରାୟ 67,000 ମହିଳାଙ୍କ ମୃତ୍ୟୁ ଘଟେ । ଅନ୍ୟପକ୍ଷରେ, ଅନ୍ୟ କେତେକ ରିପୋର୍ଟ ଅନୁଯାୟୀ, ଆମ ଦେଶରେ 30ରୁ 69 ବର୍ଷ ବୟସର 17% ମହିଳା ଏହି କର୍କଟ କାରଣରୁ ପ୍ରାଣ ହରାନ୍ତି ।
ଯଦିଓ ଗର୍ଭାଶୟ କର୍କଟକୁ ରୋକିବା ପାଇଁ ଅନ୍ୟାନ୍ୟ ଟିକା ଉପଲବ୍ଧ, କିନ୍ତୁ ସର୍ଭାଭାକ୍ର ପ୍ରଭାବ ଅଧିକ ରହିବ । ତେବେ ଗର୍ଭାଶୟ କର୍କଟ କାହିଁକି ହୁଏ, ଏହାର ଲକ୍ଷଣ ଏବଂ ନୂତନ କରି ବିକଶିତ ହୋଇଥିବା ଟିକା କିପରି ଏପରି ଏହାକୁ ରୋକିପାରିବ, ଜାଣନ୍ତୁ...
ଏହା ମଧ୍ୟ ପଢନ୍ତୁ:- ଜରାୟୁ କର୍କଟ ରୋକିବାକୁ ସରକାରଙ୍କ ବଡ ନିଷ୍ପତ୍ତି, ସ୍କୁଲ୍ରେ ଦିଆଯିବ CERVAVAC Vaccine
ଗର୍ଭାଶୟ କର୍କଟ କାହିଁକି ହୁଏ ? -ଗର୍ଭାଶୟ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଙ୍ଘାତିକ କର୍କଟ ପ୍ରକାର, ଯାହାକି ବିଶ୍ୱର ମହିଳାମାନଙ୍କ ମଧ୍ୟରେ ଚତୁର୍ଥ ସର୍ବାଧିକ କର୍କଟ । ଅନ୍ୟପକ୍ଷରେ, ଯଦି ଆମେ ଭାରତ ବିଷୟରେ କହିବା, ତେବେ ଏହା ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସାଧାରଣ କର୍କଟ ଅଟେ । ଦିଲ୍ଲୀର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନିଧି କଠୋରୀ କହିଛନ୍ତି ଯେ, ମହିଳାଙ୍କ ଗର୍ଭାଶୟ ବା ଜରାୟୁରେ ଗର୍ଭାଶୟ କର୍କଟ ହୁଏ ଏବଂ ଏଥିପାଇଁ ମୁଖ୍ୟତଃ କେତେକ ପ୍ରକାରର ହ୍ୟୁମାନ୍ ପାପିଲୋମା ଭାଇରସ୍(HPV) ଦାୟୀ ବୋଲି ବିବେଚନା କରାଯାଏ । କିନ୍ତୁ ଗର୍ଭାଶୟ କର୍କଟ ପାଇଁ ପ୍ରତ୍ୟେକ ପ୍ରକାରର HPV ଦାୟୀ ନୁହେଁ ।
ବାସ୍ତବରେ, HPV ଏକ ଯୌନ ସଂକ୍ରମିତ ଭୂତାଣୁ ଏବଂ ସାଧାରଣତଃ ସଂକ୍ରମଣ ହେତୁ ଏହାର ତୀବ୍ର ଲକ୍ଷଣ ଶୀଘ୍ର ଦେଖାଯାଏ ନାହିଁ । ମାତ୍ର ଲକ୍ଷଣ ଦେଖାଯିବା ବେଳକୁ ସଂକ୍ରମଣ ବହୁତ ବ୍ୟାପିଯାଇ ଥାଏ । ଗର୍ଭାଶୟ କର୍କଟ ପାଇଁ କେବଳ କିଛି ପ୍ରକାରର HPV ଦାୟୀ, କିନ୍ତୁ ପ୍ରାରମ୍ଭରେ ସଂପୃକ୍ତ ଭୂତାଣୁ ପ୍ରଭାବରେ ଆସିବା ପରେ ଅନ୍ୟ କେତେକ କାରଣ ଅଛି, ଯାହା କର୍କଟ ରୋଗର ଆଶଙ୍କା ବଢାଇଥାଏ । ଏଥିମଧ୍ୟରୁ ଏକ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଏକ ପ୍ରମୁଖ କାରଣ ହୋଇଥାଏ । ଉଦାହରଣ ସ୍ୱରୂପ, HPV ସଂସ୍ପର୍ଶରେ ଆସିବା ପରେ ମଧ୍ୟ ସାଧାରଣ ପ୍ରତିରକ୍ଷା ପ୍ରଣାଳୀ ଥିବା ମହିଳାମାନଙ୍କ ମଧ୍ୟରେ ଗର୍ଭାଶୟ କର୍କଟ ରୋଗର ବିକାଶ ପାଇଁ 15ରୁ 20 ବର୍ଷ ଲାଗେ, କିନ୍ତୁ ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ମହିଳାମାନଙ୍କଠାରେ ଏହି କର୍କଟ ମାତ୍ର 5ରୁ 10 ବର୍ଷ ମଧ୍ୟରେ ବ୍ୟାପିପାରେ ।
ସେ କହିଛନ୍ତି ଯେ, ଗର୍ଭାଶୟର କର୍କଟ ପ୍ରଥମେ ଗର୍ଭାଶୟର କୋଷଗୁଡ଼ିକରେ ବୃଦ୍ଧିପାଏ । ଗର୍ଭାଶୟ ଯୋନୀ ସହ ସଂଯୁକ୍ତ ଥାଏ । ଏହି ସଂକ୍ରମଣ ଏକ ୱାର୍ଟ ଆକାରରେ ଆରମ୍ଭ ହୁଏ ଯାହା ପରେ କର୍କଟ କୋଷରେ ପରିଣତ ହେବାକୁ ଲାଗେ । ଗର୍ଭାଶୟ କର୍କଟର ପୂର୍ବ କର୍କଟ ପର୍ଯ୍ୟାୟ ବହୁତ ଲମ୍ବା (ପ୍ରାୟ 10 ରୁ 15 ବର୍ଷ) ।