ହାଇଦ୍ରାବାଦ: ଔଷଧ ଜୀବନ ବଞ୍ଚାଉଥିବା ବେଳେ ଅନେକ କ୍ଷେତ୍ରରେ ଔଷଧ ସେବନ କରି ପ୍ରାଣ ହରାଉଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଭାରତରେ ଅନେକ ଔଷଧ ଏବଂ କଫସିରପକୁ ବ୍ୟାନ କରାଯାଇଥିବା ବେଳେ ବର୍ତ୍ତମାନ 4 ବର୍ଷରୁ କମ ବୟସର ଛୁଆଙ୍କ ପାଇଁ ବ୍ୟବହୃତ ଅନେକ ଔଷଧକୁ ବ୍ୟାନ କରାଯାଇଛି । ଛୁଆଙ୍କ କ୍ଷେତ୍ରରେ ଥଣ୍ଡା ପାଇଁ ବ୍ୟବହୃତ ଔଷଧକୁ ଭାରତରେ ବ୍ୟାନ କରାଯାଇଛି । ଛୁଆଙ୍କ ଉପରେ ଏହାର ପାର୍ଶ୍ବପ୍ରତିକ୍ରିୟା ଦେଖାଯାଉଥିବାରୁ ଏହି ଔଷଧକୁ ବ୍ୟାନ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(CDSCO) ପକ୍ଷରୁ ଏହି ପ୍ରତିବନ୍ଧକ ଲଗାଯାଇଛି । କ୍ଲୋରୋଫେନିରାମାଇନ ମାଲିଏଟ ଆଇପି 2ଏମଜି, ଫେନିଲାଫେରାଇନ ଏଚସିଏଲ ଆଇପି 5 ଏମଜି ଉପରେ ରୋକ ଲଗାଯାଇଛି । ଏହି ଔଷଧ 4 ବର୍ଷରୁ କମ ବୟସର ଶିଶୁଙ୍କୁ ଥଣ୍ଡା କ୍ଷେତ୍ରରେ ବ୍ୟବହାର କରାଯାଉଥିଲା । ବିଶ୍ବରେ ପ୍ରାୟ 141 ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ରାଜୀବ ରଘୁବଂଶୀ କ୍ଲୋରୋଫେନିରାମାଇନ ମାଲିଏଟ ଆଇପି 2ଏମଜି, ଫେନିଲାଫେରାଇନ ଏଚସିଏଲ ଆଇପି 5ଏମଜି ଔଷଧର ବ୍ୟବହଆର ଉପରେ ରୋକ ଲଗାଇଛନ୍ତି । ଏହାସହ 4 ବର୍ଷରୁ କମ ବୟସର ଶିଶୁଙ୍କୁ ଏହି ଔଷଧର ବ୍ୟବହାର ନକରିବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଡ୍ରଗ ନିୟାମକମାନଙ୍କୁ ପରାମର୍ଶ ଦେଇଛନ୍ତି । ଡିସେମ୍ବର 18 ତାରିଖରେ ପ୍ରତିବନ୍ଧକ ନେଇ ଘୋଷଣା କରାଯାଇଥିବା ବେଳେ ଗତକାଲି (ବୁଧବାର) ଏହାକୁ ସାର୍ବଜନିନ କରାଯାଇଛି ।