ହାଇଦ୍ରାବାଦ:ପୁରୁଷଠାରୁ ଆରମ୍ଭ କରି ସ୍ତ୍ରୀ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାନ୍ତି । କିନ୍ତୁ ବୟସ ଅନୁସାରେ ଚେହେରାର ଚମକ କମିଯାଇଥାଏ । 30ରୁ 35 ବର୍ଷ ପରେ ଚେହେରାର ଚମକ କମି ଯାଇଥାଏ । ତେଣୁ ଆମ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । 30 ବର୍ଷ ବୟସ ପରେ, ଆମ ଚର୍ମ ଏବଂ ଶରୀରରେ ଅନେକ ପରିବର୍ତ୍ତନ ଘଟିବା ଆରମ୍ଭ କରେ । ଏଥିପାଇଁ ଆମେ ଚର୍ମ ପାଇଁ ଅନେକ ଫେସ୍ ପ୍ୟାକ୍, କ୍ରିମ୍, ସେରମ୍ ଇତ୍ୟାଦି ବ୍ୟବହାର କରୁ । କିନ୍ତୁ ଆପଣ ନିଜ ଖାଦ୍ୟରେ କିଛି ପରିବର୍ତ୍ତନ କରି ବାର୍ଦ୍ଧକ୍ୟକୁ ହ୍ରାସ କରିପାରିବେ । କାରଣ ଯେକୌଣସି କ୍ରିମ୍, ମାସ୍କ୍ ଏବଂ ସେରମ୍ ଚର୍ମ ଉପରେ ପ୍ରଭାବ ପକାଇପାରେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସନ୍ତୁଳିତ ଖାଦ୍ୟ । ବୟସ ହେବା ପରେ ମଧ୍ୟ ଯଦି ଚେହେରାରେ ଚମକ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଖାଦ୍ୟ...
ସବୁଜ ପନିପରିବା:ସବୁଜ ପତ୍ରଯୁକ୍ତ ପନିପରିବାରେ ପୁଷ୍ଟିକର ତତ୍ତ୍ବ, କ୍ୟାଲସିୟମ୍, ପୋଟାସିୟମ୍, ଫସଫରସ୍, ଭିଟାମିନ୍-ଏ, ଭିଟାମିନ୍-ସି, ଭିଟାମିନ୍-କେ, ଭିଟାମିନ୍-ବି1 ଏବଂ ଭିଟାମିନ୍-ବି 2 ଇତ୍ୟାଦି ଭରପୂର ମାତ୍ରାରେ ରହିଛି । ଯାହାକି ମୁହଁର କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ବା ଚିହ୍ନକୁ ହଟାଇବାରେ ସାହାଯ୍ୟ କରେ । ଏହା ବ୍ୟତୀତ ସବୁଜ ପନିପରିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ପାଚିଲା ଅମୃତଭଣ୍ଡା:ପାଚିଲା ଅମୃତଭଣ୍ଡାରେ ଆଣ୍ଟି ଅକ୍ସିଡାଣ୍ଟ୍, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଯାହା ଚର୍ମର କୁଞ୍ଚନକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏଥିରେ ପେପେନ୍ ନାମକ ଏକ ଏନ୍ଜାଇମ୍ ମଧ୍ୟ ରହିଥାଏ ଯାହା ବାର୍ଦ୍ଧକ୍ୟକୁ ମନ୍ଥର କରିଥାଏ । ପାଚିଲା ଅମୃତଭଣ୍ଡା ହେଉଛି ସର୍ବୋତ୍ତମ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏଜେଣ୍ଟ୍ । ଶରୀରରୁ ମୃତ ଚର୍ମକୁ ବାହାର କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ । ନିୟମିତ ଭାବେ ଅମୃତଭଣ୍ଡା ଖାଇବା ଦ୍ୱାରା ଚର୍ମରେ ଚମକ ଆସିଥାଏ ।