ହାଇଦ୍ରାବାଦ: ମନ୍ତ୍ରରେ ଏକ ଭିନ୍ନ ଶକ୍ତି ଅଛି ଏବଂ ଏହାର ପ୍ରଭାବ ଶରୀର, ମନ ଏବଂ ଏହାର ଆଖପାଖ ପରିବେଶରେ ପଡିଥାଏ ବୋଲି ବିବେଚନା କରାଯାଏ । ଭାରତୀୟ ସଂସ୍କୃତିରେ ବିଶ୍ୱାସ ରହିଛି ଯେ, ଶାସ୍ତ୍ରରେ ଦିଆଯାଇଥିବା ମନ୍ତ୍ରଗୁଡ଼ିକୁ ଜପ କରିବା ଦ୍ବାରା ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ଘଟିଥାଏ । ବର୍ତ୍ତମାନ ଏହି ଭାବନା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ପ୍ରମାଣିତ ହୋଇଛି । ହରେ କୃଷ୍ଣ...ହରେ କୃଷ୍ଣ ମନ୍ତ୍ର ଉଚ୍ଚାରଣ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ମାନସିକ ଶାନ୍ତି ଦେଇଥାଏ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(IIT) ଇନ୍ଦୋରରେ ଏକ ଅନୁସନ୍ଧାନକାରୀ ଟିମ୍, ମନ୍ତ୍ର ଜପ କରିବା ଦ୍ବାରା ଶରୀରରେ କିପରି ପ୍ରଭାବ ପଡିଥାଏ, ତାହା ଉପରେ ଏକ ରିସର୍ଚ୍ଚ କରିଥିଲେ । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ, IIT ଇନ୍ଦୋର ଦ୍ବାରା କରାଯାଇଥିବା ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ହରେ କୃଷ୍ଣ...ମନ୍ତ୍ର 108 ଥର ଜପ କରିବା ଦ୍ବରା ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ ।
ଏହି ମନ୍ତ୍ର ପଢିବା ଦ୍ୱାରା ସୁଖ-ଶାନ୍ତି ଅନୁଭବ ହୁଏ ଏବଂ ଜଣେ ବ୍ୟକ୍ତି ଚିନ୍ତା ଓ ଚାପରୁ ମୁକ୍ତି ପାଇଥାନ୍ତି । ଏଥିସହ ମନ୍ତ୍ର ଜପ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ବୋଲି ଅନୁସନ୍ଧାନକାରୀ ଦଳ କହିଛନ୍ତି(Chanting mantras increases immunity) । IIT ଇନ୍ଦୋର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା କରାଯାଇଥିବା ଏହି ଅନୁସନ୍ଧାନ ପାଇଁ ଟିମ୍ ନିଜ ଅନୁଷ୍ଠାନରୁ 37 ଜଣଙ୍କୁ ଚୟନ କରିଥିଲା । ମନ୍ତ୍ର ଜପ କରିବା ପୂର୍ବରୁ ଏବଂ ପରେ ବ୍ୟକ୍ତିଙ୍କ ମାନସିକ ଓ ଶାରିରିକ ସ୍ଥିତିର ମୂଲ୍ୟାଙ୍କନ କରାଯାଇଥିଲା । ଅନୁସନ୍ଧାନକାରୀ ଦଳର ମୁଖ୍ୟ ଡ. ରାମ ବିଳାସ ପଚୋରି କହିଛନ୍ତି ଯେ, "ସାଧାରଣତଃ ମସ୍ତିଷ୍କରୁ ପାଞ୍ଚ ପ୍ରକାରର ଫ୍ରିକ୍ୱେନ୍ସି ବ୍ୟାଣ୍ଡ ସିଗନାଲ ନିର୍ଗତ ହୁଏ(Brain emits five types of frequency bands signals) ।"