ହାଇଦ୍ରାବାଦ: ସ୍ବାସ୍ଥ୍ୟ ପାଇଁ ଭିଟାମିନ୍, ପ୍ରୋଟିନ୍, ମିନେରାଲ୍ସ, ଆଇରନ୍ ଭଳି ଜିଙ୍କ୍ ମଧ୍ୟ ଆବଶ୍ୟକୀୟ । ସୁସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଜିଙ୍କ୍ ଧାରଣ କରିଥିବା ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଏହା ସଂକ୍ରମଣକୁ ରେକିବା ସହ କ୍ଷତରୁ ମଧ୍ୟ ମୁକ୍ତି ଦେବାରେ ସାହାଯ୍ୟ କରେ । ପ୍ରୋଟିନ୍ ଏବଂ ଡିଏନ୍ଏ ଗଠନ ପାଇଁ ମଧ୍ୟ ଜିଙ୍କ୍ ଜରୁରୀ । ଆଜିର ଆର୍ଟିକିଲରେ ଜାଣନ୍ତୁ କେଉଁସବୁ ଖାଦ୍ୟ ଖାଦ୍ୟରୁ ଜିଙ୍କ୍ ମିଳିଥାଏ ଏବଂ ଏହାର ଅଭାବ ହେଲେ ଶରୀରରେ କି କି ସମସ୍ୟା ଦେଖାଯାଏ...
ଜିଙ୍କ୍ର ଉତ୍ସ: କେଉଁ ସବୁ ଖାଦ୍ୟରୁ ଜିଙ୍କ୍ ମିଳେ ତାହା ଜାଣିବା ନିହାତି ଗୁରୁତ୍ବପୂର୍ଣ୍ଣ । କାରଣ ଏ ବାବଦରେ ଜଣେ ବ୍ୟକ୍ତି ଅବଗତ ହେଲେ, ଜିଙ୍କ୍ ଅଭବାର ସମସ୍ୟାକୁ ଦୂର କରିପାରିବେ । ତେବେ ଏହିସବୁ ଖାଦ୍ୟ ମଧ୍ୟରୁ ଲାଲ୍ ମାଂସ ଅନ୍ୟତମ । ଏଥିରେ ଜିଙ୍କ୍ ଭରପୂର ପରିମାଣରେ ଥାଏ । ମାତ୍ର ଅତ୍ୟଧିକ ଲାଲ୍ ମାଂସ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ତେଣୁ ସର୍ବଦା ଏହି ମାଂସକୁ ସୀମିତ ପରିମାଣରେ ସେବନ କରନ୍ତୁ ।
ଏହା ସାଙ୍ଗକୁ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଲାଲ୍ ମାଂସ ଖାଇବା ଲାଭଦାୟକ । କାରଣ ସମସ୍ତଙ୍କ ଶରୀର ପାଇଁ ଲାଲ୍ ମାଂସ ଉପକାରୀ ହୋଇନଥାଏ, କେତେକ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥାଏ । ସେଲ୍ ଫିସ୍, ବାଦାମ(କାଜୁ, ଆଲମଣ୍ଡ), ସିଡ୍ସ ବା ମଞ୍ଜି(କଖାରୁ, ରାଶି), ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ, ଅଣ୍ଡା, ବିନ୍ସ, ଡାଲି, ଝୁଡୁଙ୍ଗ, ଓଟ୍ସ, ପନିପରିବା(ଆଳୁ, ମଟର) ଏବଂ ଡାର୍କ ଚକୋଲେଟ୍ ଆଦିରୁ ଜିଙ୍କ୍ ମିଳିଥାଏ । ଏହି ସବୁ ଖାଦ୍ୟ ସବୁ ବର୍ଗର ଲୋକେ ଖାଇପାରିବେ ।