ନୂଆଦିଲ୍ଲୀ: କୁହାଯାଏ ପ୍ରେମ ହେଲେ ଉଲ୍ଲସିତ ହୋଇ ଉଠେ ମନ । ସେହି ସ୍ପେଶାଲ୍ ମଣିଷକୁ ପାଖରେ ପାଇଲେ ଦ୍ରୁତ ହୋଇଯାଏ ହୃଦ ସ୍ପନ୍ଦନ । ବିଜ୍ଞାନ ଭାଷାରେ ହୃଦୟ ଯାହା ହେଉନା କାହିଁକି, ସାହିତ୍ୟ କହେ ହୃଦୟର ଭାବନା ହିଁ ପ୍ରେମର ସଂଜ୍ଞା । ପ୍ରେମ ହେଲେ ହୃଦୟର ଭାଷା ହିଁ ଦୁଇ ମନର ମିଳନରେ ସହାୟକ ହୁଏ । ଆଉ ଯେବେ ଏଇ ପ୍ରେମ ଭାଙ୍ଗିଯାଏ, ପ୍ରିୟର ବ୍ୟକ୍ତି ସହ ସମ୍ପର୍କ ଖରାପ ହୁଏ ଏହାର ସିଧା ପ୍ରଭାବ ପଡେ ହୃଦୟ ଉପରେ । ତେବେ କାହିଁକି ଏପରି ହୁଏ, ଚିକିତ୍ସା କ୍ଷେତ୍ର ଓ ବିଜ୍ଞାନ କ'ଣ କୁହେ, ଜାଣନ୍ତୁ...
ବ୍ରୋକନ୍ ହାର୍ଟ ସିଣ୍ଡ୍ରୋମ:- ବ୍ରୋକନ୍ ହାର୍ଟ ସିଣ୍ଡ୍ରୋମ ହେଉଛି ଏକ ଘନିଷ୍ଠ ସମ୍ପର୍କ ଭାଙ୍ଗିବାର ପ୍ରଭାବ । ହୃଦଘାତ କିମ୍ବା ଷ୍ଟ୍ରୋକ୍ ସମୟରେ ଯେଉଁଭଳି ଲକ୍ଷଣ ଅନୁଭୂତ ହୋଇଥାଏ ଏହି ସମୟରେ ମଧ୍ୟ ସମାନ ଲକ୍ଷଣ ଅନୁଭୂତ ହୁଏ । ସାଧାରଣ ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ଅନିୟମିତ ହୃଦସ୍ପନ୍ଦନ, ହଠାତ୍ ଦୁର୍ବଳତା ଏବଂ ଥକା ଲାଗିବା ଇତ୍ୟାଦି ।
ଚାପ: ହୃଦୟ ଭାଙ୍ଗିଲେ ବା ବ୍ରେକ୍-ଅପ୍ ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ମସ୍ତିକ ଉପରେ ପଡିଥାଏ । ଯାହା ମାନସିକ ଚାପ ରୂପରେ ପ୍ରତିଫଳିତ ହୁଏ । ଯେତେବେଳେ ଏହି ଚାପ ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରେ, ଏହା ଶରୀରର ଅନ୍ୟ ଅଙ୍ଗ ଗୁଡିକୁ ଦୁର୍ବଳ କରିଦିଏ । ଶରୀରର ଅଙ୍ଗ ଗୁଡ଼ିକର ଅତ୍ୟଧିକ କାର୍ଯ୍ୟ ଶେଷରେ ହୃଦୟର କାର୍ଯ୍ୟକଳାପ ଉପରେ ଚାପ ସୃଷ୍ଟି କରିପାରେ, ଯାହା ହୃଦଘାତର ଆଶଙ୍କା ବଢାଇଦିଏ ।