ଓଡିଶା

odisha

ETV Bharat / sukhibhava

ଯୁବାବସ୍ଥାରେ ଉଚ୍ଚ ରକ୍ତଚାପ ପ୍ରାପ୍ତ ବୟସରେ କରିପାରେ ମସ୍ତିଷ୍କ ରୋଗ ଡିମେନ୍ସିଆ - ହେଲ୍‌ଥ ନ୍ୟୁଜ

ଯଦି ଯୁବାବସ୍ଥାରେ ଉଚ୍ଚ ରକ୍ତଚାପ ସମସ୍ୟା ଅଛି ତେବେ ତୁରନ୍ତ ଚିକିତ୍ସା କରି ଏହାର ସମାଧାନ କରାଇ ନିଅନ୍ତୁ । ନଚେତ୍ ପ୍ରାପ୍ତ ବୟସ୍କ ବେଳକୁ ଏହା ମସ୍ତିଷ୍କ ରୋଗ ଡିମେନ୍ସିଆ କରିପାରେ । ଅଧିକ ପଢନ୍ତୁ

High BP
High BP

By

Published : Apr 10, 2023, 1:47 PM IST

ନୂଆଦିଲ୍ଲୀ: ଯୁବାବସ୍ଥାରେ ବ୍ଲଡ୍ ପ୍ରେସର୍ ବା ଉଚ୍ଚ ରକ୍ତଚାପ ଥିଲେ ସତର୍କ ହୋଇଯାଆନ୍ତୁ । ତୁରନ୍ତ ଏହି ରୋଗର ଚିକିତ୍ସା କରାଇ ଦିଅନ୍ତୁ । ନଚେତ୍ ବୃଦ୍ଧାବସ୍ଥାକୁ ଏହା ଜଟିଳ ମସ୍ତିଷ୍କ ସମସ୍ୟା କରିପାରେ । ଆଜ୍ଞା ହଁ, ଏକଥା ଆମେ କହୁନୁ । ଏକ ନୂତନ ଅଧ୍ୟୟନ, ରକ୍ତଚାପ କିପରି ମସ୍ତିଷ୍କ ରୋଗ କରିପାରେ ସେ ବାବଦରେ ଜାଣିବାକୁ ପାଇଛି । ଅଧ୍ୟୟନ ଅନୁସାରେ 30 ବର୍ଷ ବୟସରେ ଯଦି ଜଣେ ଯୁବକଙ୍କର ଉଚ୍ଚ ରକ୍ତଚାପ ରୁହେ, ତେବେ 70 ବର୍ଷ ବୟସ ବେଳକୁ ତାଙ୍କର ମସ୍ତିଷ୍କ ରୋଗ ଡିମେନ୍ସିଆ ହେବାର ସମ୍ଭାବନା ରହିଛି । ବିଶେଷ କରି ଏହି ବିପଦ ପୁରୁଷଙ୍କ କ୍ଷେତ୍ରରେ ଅଧିକ ବୋଲି ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି ।

ଜାମା ନେଟୱାର୍କ ଓପନ(JAMA Network Open)ରେ ପ୍ରକାଶିତ ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଉଚ୍ଚ ରକ୍ତଚାପ ଗୋଷ୍ଠୀର ବ୍ୟକ୍ତିଙ୍କର ରିଜିଓନାଲ୍ ବ୍ରେନ୍ ଭଲ୍ୟୁମ୍ ଏବଂ ହ୍ବାଇଟ୍ ମେଟ୍ଟର ଇଟିଗ୍ରିଟି(ପ୍ରାପ୍ତ ବୟସ୍କମାନଙ୍କରେ ଶାରୀରିକ କାର୍ଯ୍ୟକଳାପର ପରିମାଣ ସହିତ ଜଡିତ) ଯଥେଷ୍ଟ କମ୍ ଥିଲା । ଉଭୟ କାରଣ ଡିମେନ୍ସିଆ ସହିତ ଜଡିତ । କାଲିଫର୍ନିଆ ୟୁନିଭରସିଟି-ଡେଭିସ୍ ହେଲ୍‌ଥର ଅନୁସନ୍ଧାନକାରୀମାନେ ଏହି ଅନୁସନ୍ଧାନ ପାଇଁ ପ୍ରାପ୍ତ ବୟସ୍କଙ୍କ ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଙ୍ଗ(MRI) ମସ୍ତିଷ୍କ ସ୍କାନକୁ ତୁଳନା କରିଥିଲେ । ଏହି ଅନୁସନ୍ଧାନରେ ବୟସ୍କ, ଯେଉଁମାନଙ୍କର 30 ରୁ 40 ବର୍ଷ ବୟସରେ ଉଚ୍ଚ ରକ୍ତଚାପ ଥିଲା, ସେମାନଙ୍କ ସହ ସାଧାରଣ ରକ୍ତଚାପ ଥିବା ବୟସ୍କଙ୍କୁ ତୁଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-'ଦେଶରେ ବଢୁଥିବା ହୃଦଘାତ ପାଇଁ ଟିକା ନୁହେଁ କୋରୋନା ଦାୟୀ'

ଅଧ୍ୟୟନରୁ ଜଣାଗଲା ଯେ, ଉଚ୍ଚ ରକ୍ତଚାପ ବିପଦ ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ । ଏହି ଅନୁସନ୍ଧାନ ମଧ୍ୟ କମ୍ ବୟସରେ କାର୍ଡିଓଭସ୍କୁଲାର୍(ହୃଦୟ) ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହେବା ପାଇଁ ସୂଚାଇଦିଏ । କାରଣ ହୃଦୟ ସ୍ବାସ୍ଥ୍ୟ ହିଁ ମସ୍ତିଷ୍କ ସ୍ବାସ୍ଥ୍ୟ ବୋଲି ଅନୁସନ୍ଧାନକାରୀ ରିଚେଲ ହ୍ବିଟମେର୍ କହିଛନ୍ତି । ସେହିପରି ଜନସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର କ୍ରିଷ୍ଟେନ ଏମ ଜର୍ଜ କହିଛନ୍ତି ଯେ, ଡିମେନ୍ସିଆର ଚିକିତ୍ସା ଅତ୍ୟନ୍ତ ସୀମିତ, ତେଣୁ ଜୀବନଶୈଳୀରେ ପରିବର୍ତ୍ତନଶୀଳ ବିପଦ ଏବଂ ପ୍ରତିରକ୍ଷା କାରକ ଚିହ୍ନଟ କରିବା ରୋଗର ଭାର ହ୍ରାସ କରିପାରେ । ଉଚ୍ଚ ରକ୍ତଚାପ ଡିମେନ୍ସିଆ ସହିତ ଜଡିତ ଏକ ସାଧାରଣ ଏବଂ ଚିକିତ୍ସା ଯୋଗ୍ୟ ବିପଦ କାରଣ । ବୟସ୍କ ଅବସ୍ଥାରେ ଉଚ୍ଚ ରକ୍ତଚାପ ସ୍ଥିତି ଦଶନ୍ଧି ପରେ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଯୁବାବସ୍ଥାରୁ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର କ୍ରିଷ୍ଟେନ ଚେତାଇ ଦେଇଛନ୍ତି ।

ଡିମେନ୍ସିଆ କ'ଣ:- ଏହା ହେଉଛି ଏକ ମସ୍ତିଷ୍କ ରୋଗ । ଏହି ରୋଗ ହେଲେ ସ୍ମୃତିଗତ ସମସ୍ୟା ଦେଖାଯାଏ । ଅର୍ଥାତ୍ ଜଣେ ବ୍ୟକ୍ତି ଅତି ସାଧାରଣ କଥାକୁ ମଧ୍ୟ ଭୁଲିଯାଆନ୍ତି । ଶୁଦ୍ଧ ଓଡିଆରେ ଏହାକୁ ଭୁଲା ରୋଗ ବୋଲି କୁହାଯାଏ । ଭୁଲିବା ସହିତ ଅନ୍ୟ କାହାର କଥାକୁ ଭୁଲ୍ ଅର୍ଥରେ ନେବା, ହଠାତ୍ ରାଗିଯିବା, ବିରକ୍ତ ଭାବ ପ୍ରକାଶ କରିବା କିମ୍ବା ଅସ୍ଥିର ହେବା, ଉତ୍ତେଜିତା କିମ୍ବା ଆକ୍ରମଣାତ୍ମକ ସ୍ବଭାବ, ବାରମ୍ବାର ଗୋଟିଏ ଭୁଲ୍ କରିବା, ଏକାଗ୍ରତା ତଥା ଧ୍ୟାନ ଶକ୍ତି ହରାଇବା, ଆରାମରେ ଶୋଇନପାରିବା, କଥା କହିବାରେ ସମସ୍ୟା ଆଦି ଡିମେନ୍ସିଆର ଲକ୍ଷଣ ।

ABOUT THE AUTHOR

...view details