ହାଇଦ୍ରାବାଦ: ପ୍ରତିଟି ଓଡିଆ ପଖାଳ ସାଙ୍ଗକୁ ଶାଗର ମଜା ନିଶ୍ଚୟ ନେଇଥିବେ । ଆଉ ବିଭିନ୍ନ ପ୍ରକାର ଶାଗ ମଧ୍ୟରୁ ପାଳଙ୍ଗ ସ୍ଥାନ ରହିଛି ଊର୍ଦ୍ଧ୍ବରେ । କେବଳ ସ୍ବାଦ ଦୃଷ୍ଟିରୁ ନୁହେଁ, ପାଳଙ୍ଗରେ ଏପରି ଉପକାରୀ ଗୁଣ ରହିଛି, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରୁ ଭିଟାମିନ୍-ସି ପ୍ରଚୁର ପରିମାଣରେ ମିଳିଥାଏ । ଏହା କେବଳ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ଶୀତଦିନେ ସାଧାରଣ ଥଣ୍ଡା ଏବଂ ଫ୍ଲୁରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସାଙ୍ଗକୁ ପାଳଙ୍ଗରେ ଅନ୍ୟାନ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ କଣ...
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର:- ପାଳଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ଫ୍ଲାଭୋନାଏଡ ଏବଂ କାରୋଟିନଏଡ, ଯାହା ଶରୀରକୁ ମୁକ୍ତ ମୌଳିକ କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ, ପାଳଙ୍ଗରେ ଥାଏ ।
ରକ୍ତହୀନତାକୁ ରୋକିଥାଏ:-ପାଳଙ୍ଗରେ ଲୌହ ବା ଆଇରନ୍ ପ୍ରଚୁର ପରିମାଣରେ ଥାଏ । ଆଇରନ୍ ଏକ ଖଣିଜ ପଦାର୍ଥ ଯାହା ସୁସ୍ଥ ଲାଲ ରକ୍ତ କଣିକାକୁ ବଜାୟ ରଖିବା ଏବଂ ରକ୍ତହୀନତାକୁ ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପାଳଙ୍ଗ ଖାଇବା ଦ୍ବାରା ରକ୍ତହୀନତା ଦୂର ହୋଇଥାଏ ।
ଓଜନ ନିୟନ୍ତ୍ରଣ:-ପାଳଙ୍ଗ କ୍ୟାଲୋରୀରେ କମ୍, ଯାହା ଓଜନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ମେଦବହୁଳ ଲୋକମାନେ କ୍ୟାଲୋରୀ କମ୍ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି, ଆଉ ପାଳଙ୍ଗ ଏହାର ଏକ ମୁଖ୍ୟ ଉତ୍ସ ।
ରକ୍ତଚାପକୁ ନିୟନ୍ତ୍ରଣ କରେ:- ପାଳଙ୍ଗ ନାଇଟ୍ରେଟ୍ସରେ ଭରପୂର, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦୟ ଏବଂ ମସ୍ତିଷ୍କକୁ ରକ୍ତ ପ୍ରବାହରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।
ଭିଟାମିନ୍-କେ ଥାଏ ପାଳଙ୍ଗରେ:- ପାଳଙ୍ଗରେ ଭିଟାମିନ୍-ସି ସାଙ୍ଗକୁ ମଧ୍ୟ ଭିଟାମିନ୍-କେ ମଧ୍ୟ ରହିଥାଏ, ଯାହାକି କ୍ୟାଲସିୟମ୍ ଅବଶୋଷଣ ବୃଦ୍ଧି କରି ହାଡର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଶରୀରକୁ ଡିଟକ୍ସ କରେ ପାଳଙ୍ଗ:-ପାଳଙ୍ଗରେ ପ୍ରଚୁର ପରିମାଣରେ ଜଳ ଥାଏ । ଏହା ଶରୀରକୁ ଡିଟକ୍ସିଫାଏ କରିବାରେ ସାହାଯ୍ୟ କରେ, ଯାହା ଦ୍ବାରା ଶରୀରରେ ଥିବା ସମସ୍ତ ବର୍ଯ୍ୟବସ୍ତୁ ନିଷ୍କାସନ ସହଜ ହୋଇଥାଏ ଏବଂ ସେହି କାରଣରୁ ଶରୀରରେ କୌଣସି ପ୍ରକାର ରୋଗ ଦେଖାଯାଏ ନାହିଁ । ପାଳଙ୍ଗ ଉପରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ଏହାର ଜୁସ୍ ପିଇବା ଅତ୍ୟନ୍ତ ଲାଭଦାୟକ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ:-ପାଳଙ୍ଗରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଭିଟାମିନ-ସି ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରେ ଏବଂ ପ୍ରତିରକ୍ଷା କୋଷକୁ ଶକ୍ତିଶାଳୀ କରେ । ଏହା ସିଧାସଳଖ ଆମର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ ।
ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ:-ପାଳଙ୍ଗ ରସରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ଏ ମଧ୍ୟ ଥାଏ । ଏହି ଭିଟାମିନ ଆମ ଆଖି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ-ଏ ଖାଇବା ଦ୍ୱାରା ଆମର ଦୃଷ୍ଟିଶକ୍ତି ଠିକ ରହିଥାଏ ।