ହାଇଦ୍ରାବାଦ: ଶାରୀରିକ ଗଠନକୁ ଆକର୍ଷଣୀୟ କରିବାରେ କେଶ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ । ସୁନ୍ଦର କେଶ ସୁନ୍ଦର ତ୍ବଚାର ପରିଚୟ । ମାତ୍ର ପରିବର୍ତ୍ତିତ ଜଳବାୟୁ ଏବଂ ଜୀବନଶୈଳୀ କେଶର ସୁନ୍ଦରତାକୁ ହ୍ରାସ କରି ଦେଉଛି । କାରଣ ଅଧିକାଂଶ ଲୋକେ ବର୍ତ୍ତମାନ କେଶ ଝଡିବା, ଦୁର୍ବଳ ହୋଇଯିବା ଏବଂ କେଶ ରଫ୍ ହୋଇଯିବା ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆମେ ଅନେକ ପ୍ରକାର ପ୍ରାକୃତିକ ଏବଂ କୃତ୍ରିମ ଉପାୟ ମଧ୍ୟ ଆପଣାଇଥାନ୍ତି, ମାତ୍ର ଅଧିକାଂଶ ସମୟରେ ଏହା ଫଳପ୍ରଦ ହୋଇନଥାଏ । ଆପଣ ଜାଣନ୍ତି କି, ଆମେ ଏପରି ଏକ ଫଳ ଖାଇଥାଉ ଯାହା ସ୍ବାସ୍ଥ୍ୟ ଉପକାରୀ ସହ କେଶ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଆଜ୍ଞା ହଁ, ତାହା ହେଉଛି କଦଳୀ । କଦଳୀ କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଏହା ମଧ୍ୟ କେଶ ପାଇଁ ବେଶ୍ ଉପକାରୀ । ତେବେ କଦଳୀ କେଶର କେଉଁ କେଉଁ ସମସ୍ୟାକୁ ଦୂର କରେ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ ।
କଦଳୀରେ ପୋଟାସିୟମ୍ ଭରପୂର ଥାଏ । ଏଥିରେ ଭିଟାମିନ୍ ସି, ବି, ଲୌହ ଏବଂ ମାଙ୍ଗାନିଜ୍ ପରି ଅନେକ ଖଣିଜ ପଦାର୍ଥ ଥାଏ । ତା' ସାଙ୍ଗକୁ କଦଳୀରୁ ପ୍ରୋଟିନ୍ ମଧ୍ୟ ମିଳିଥାଏ । କଦଳୀକୁ ହେୟାର ମାସ୍କ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ପୋଷକ ତତ୍ତ୍ୱରେ ଭରପୂର ଥିବା କଦଳୀ କେଶକୁ ଶୀଘ୍ର ବଢାଇବାରେ ସାହାଯ୍ୟ କରେ ।
ରୁପି ଦୂର କରେ କଦଳୀ:-ସାଧାରଣତଃ ଶୀତଦିନେ ରୁପି ସମସ୍ୟା ଅଧିକ ଦେଖାଯାଏ । ଏଭଳି ପରିସ୍ଥିତିରେ କଦଳୀରେ ପ୍ରସ୍ତୁତ ହେୟାର ମାସ୍କ ବ୍ୟବହାର କରିପାରିବେ । ଏଥିପାଇଁ ଏକ ପାତ୍ରରେ କଦଳୀ ନିଅନ୍ତୁ, ଏଥିରେ 2 ଚାମଚ ଲେମ୍ବୁ ରସ ଓ ଟି' ଟ୍ରି ଅଏଲ୍ ମିଶାନ୍ତୁ । ଏହାକୁ ଭଲଭାବେ ମିଶାଇବେ ପରେ କେଶର ଲଗାଇ 20 ରୁ 30 ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାପରେ ନିୟମିତ ବ୍ୟବହାର କରୁଥିବା ସାମ୍ପୋରେ କେଶ ଧୋଇଦିଅନ୍ତୁ ।