ନ୍ୟୁୟର୍କ: କୋଭିଡ ଉପରେ ଏବେ ବି ଅନୁସନ୍ଧାନ ଜାରି ରଖିଛନ୍ତି ବୈଜ୍ଞାନିକ । ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ସ୍ବାସ୍ଥ୍ୟ ଉପରେ ଏହା କି ପ୍ରକାର ପ୍ରଭାବ ପକାଏ ତା'ର ଅନୁସନ୍ଧାନରେ ଅନୁସନ୍ଧାନକାରୀ । ଏହି କ୍ରମରେ ଗର୍ଭାବସ୍ଥାରେ କୋଭିଡ ସଂକ୍ରମିତ ହୋଇଥିଲେ କଣ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ତା' ଉପରେ ଜାଣିବାକୁ ପାଇଛନ୍ତି । ଏହି ଅଧ୍ୟୟନ ଅନୁଯାୟୀ, ଯଦି ଗର୍ଭଧାରଣ ସମୟରେ କୋଭିଡ୍-19ରେ ସଂକ୍ରମିତ ହୋଇଥିବେ ତେବେ ଜନ୍ମିତ ଶିଶୁ ମେଦ ବହୁଳତାର ଶିକାର ହୋଇପାରେ ।
ଏଣ୍ଡୋକ୍ରାଇନ୍ ସୋସାଇଟିର ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଏଣ୍ଡୋକ୍ରାୟୋନୋଲୋଜି ଆଣ୍ଡ୍ ମେଟାବୋଲିଜିମ୍ରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ, ଗର୍ଭାବସ୍ଥାରେ କୋଭିଡ୍ ସଂକ୍ରମିତ ହୋଇଥିବା ମହିଳାଙ୍କଠାରୁ ଜନ୍ମିତ ଶିଶୁ ଅନ୍ୟମାନଙ୍କ ତୁଳନାରେ ଜନ୍ମ ସମୟରେ କମ୍ ଓଜନ, ବଡି ମାସ୍ ଇଣ୍ଡେକ୍ସ(BMI) କମ୍ ରହୁଛି । ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ଓଜନ ବୃଦ୍ଧି ପାଉଛି । ଏପରିକି ସେମାନେ ମେଦବହୁଳତାର ମଧ୍ୟ ଶିକାର ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ଗର୍ଭାବସ୍ଥାରେ କୋଭିଡ ସଂକ୍ରମଣ ଜନ୍ମିତ ପୁତ୍ର ସନ୍ତାନର ମସ୍ତିଷ୍କ ବିକାର ସହ ଜଡିତ
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ, ଗର୍ଭବତୀ ସମୟରେ କୋଭିଡରେ ଆକ୍ରାନ୍ତ ହୋଇଥିବା ମାଆଙ୍କଠାରୁ ଜନ୍ମିତ ପିଲାମାନଙ୍କର ପ୍ରାରମ୍ଭିକ ଜୀବନରେ ପରିବର୍ତ୍ତିତ ଅଭିବୃଦ୍ଧି ଥାଏ ଯାହାକି ସମୟ ସହିତ ସେମାନଙ୍କ ମେଦବହୁଳତା, ମଧୁମେହ ଏବଂ ହୃଦ୍ରୋଗର ଆଶଙ୍କା ବଢାଇପାରେ । ଗର୍ଭବତୀ ଏବଂ ସେମାନଙ୍କ ପିଲାମାନଙ୍କ ଉପରେ କୋଭିଡ-19ର ପ୍ରଭାବ ବାବଦରେ ନିଶ୍ଚିତ ହେବା ପାଇଁ ତଥାପି ଅନେକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଅନୁସନ୍ଧାନକାରୀ କହିଛନ୍ତି ।
ଏହି ଅନୁସନ୍ଧାନ ପାଇଁ ଅନୁସନ୍ଧାନକାରୀମାନେ ପ୍ରାୟ 150 ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ । ଯେଉଁ ପିଲାମାନଙ୍କର ମାଆ ଗର୍ଭଧାରଣ ସମୟରେ କୋଭିଡ ସଂକ୍ରମିତ ହୋଇଥିଲେ । ସେମାନଙ୍କୁ ପ୍ରାୟ 130 ଶିଶୁ, ଯେଉଁ ପିଲାମାନଙ୍କର ମାଆ ସଂକ୍ରମିତ ହୋଇନଥିଲେ ସେମାନଙ୍କ ସହ ତୁଳନା କରିଥିଲେ । ଏହି ପରିବର୍ତ୍ତନଗୁଡ଼ିକ ମେଦବହୁଳତା, ମଧୁମେହ ଏବଂ ହୃଦ୍ରୋଗ ପାଇଁ ପିଲାଦିନରେ ଏବଂ ପରବର୍ତ୍ତୀ ସମୟରେ ଅଧିକ ବିପଦ ସହିତ ଜଡିତ ଥିବା ଦେଖିବାକୁ ମିଳିଲା ।
ସୂଚନା ଅନୁସାରେ, ନିକଟରେ କରାଯାଇଥିବା ଆଉ ଏକ ଅଧ୍ୟୟନ ମଧ୍ୟ ଏପରି ଜନ୍ମିତ ଶିଶୁଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ଜାଣିବାକୁ ପାଇଛି । ଅନୁସନ୍ଧାନ ଅନୁସାରେ, ଗର୍ଭବତୀ ଥିବା ସମୟରେ ଯେଉଁ ମାଆମାନେ କୋଭିଡରେ ସଂକ୍ରମିତ ହୋଇଥିଲେ, ସେମାନଙ୍କଠାରୁ ଜନ୍ମିତ ଶିଶୁଙ୍କର ମସ୍ତିଷ୍କ ବିକାର ସମସ୍ୟା ରହିପାରେ । ବିଶେଷ କରି ପୁତ୍ର ସନ୍ତାନମାନଙ୍କର ଏହି ସମସ୍ୟା ଦେଖାଦେବାର ସମ୍ଭାବନା ଅଧିକ ବୋଲି ଅନୁସନ୍ଧାନକାରୀ କହିଛନ୍ତି ।