ଚଣ୍ଡିଗଡ଼: ଆଲକହଲରେ ଅଙ୍ଗେ ଅଙ୍ଗେ ବିପଦର ସଙ୍କେତ । "ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ" ବୋଲି ମଦ ବୋତଲରେ ହିଁ ଉଲ୍ଲେଖ ରହିଛି । ହେଲେ ମଦର ନିଶା ଏପରି ମସଗୁଲ୍ କରିଛି ଯେ, ଏହି ବିପଦ ସଙ୍କେତକୁ ଦେଖିବାକୁ ନାରାଜ୍ ! ଏ ନିଶାର ହାନିକାରକତା ବାବଦରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ମଦ ଉଭୟ ସ୍ତ୍ରୀ ଓ ପୁରୁଷଙ୍କର ପ୍ରଜନନ କ୍ଷମତାକୁ ଦୁର୍ବଳ କରିଦିଏ ବୋଲି ଜାଣିବାକୁ ପାଇଛନ୍ତି ଅନୁସନ୍ଧାନକାରୀ । ଅଧ୍ୟୟନରୁ ଜଣାପଡିଛି ଯେ, ମଦ୍ୟପାନ କେବଳ ଆମର ଆଭ୍ୟନ୍ତରୀଣ ଅଙ୍ଗ ପାଇଁ କ୍ଷତିକାରକ ନୁହେଁ, ବରଂ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ମଧ୍ୟ ସୃଷ୍ଟି କରିଥାଏ । ଅନେକ କ୍ଷେତ୍ରରେ ଗର୍ଭପାତର ମଧ୍ୟ କାରଣ ହୋଇପାରେ ମଦ୍ୟପାନ ।
ଚଣ୍ଡିଗଡ଼ର ଡ. ବନ୍ଦନା ନରୁଲାଙ୍କ ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ 35% ବନ୍ଧ୍ୟାତ୍ୱ ଚିହ୍ନଟ ହେବାର ମୁଖ୍ୟ କାରଣ ହେଉଛି ମଦ୍ୟପାନ । ଆଜିକାଲି ସମଗ୍ର ବିଶ୍ୱରେ ପୁରୁଷ ଏବଂ ମହିଳାଙ୍କ ପାଇଁ ମଦ୍ୟପାନ ଏକ ସାଧାରଣ ଅଭ୍ୟାସ, କିନ୍ତୁ ଅତ୍ୟଧିକ ମଦ୍ୟପାନର ଅନେକ ପ୍ରତିକୂଳ ପ୍ରଭାବ ପଡିଥାଏ । ଅଧ୍ୟୟନରୁ ଜଣାପଡିଛି ଯେ, ଅତ୍ୟଧିକ ମଦ୍ୟପାନ ଶୁକ୍ରାଣୁକୁ କ୍ଷତି ପହଞ୍ଚାଏ । ଅତ୍ୟଧିକ ମଦ୍ୟପାନ କଲେ ଟେଷ୍ଟୋଷ୍ଟେରନ୍ ସ୍ତର କମିଯାଏ ଏବଂ ଶୁକ୍ରାଣୁ ଗଣନାକୁ ପ୍ରଭାବିତ କରିଥାଏ । ମଦ୍ୟପାନ ଶୁକ୍ରାଣୁର ସଂଖ୍ୟା, ଆକାର, ଆକୃତି ଏବଂ ଗତିଶୀଳତା ପରିବର୍ତ୍ତନ କରି ପ୍ରଜନନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।
ଡ. ବନ୍ଦନା କହିଛନ୍ତି ଯେ, "ପୁରୁଷଙ୍କ ପ୍ରଜନନ ଉପରେ ଅତ୍ୟଧିକ ମଦ୍ୟପାନର ପ୍ରତିକୂଳ ପ୍ରଭାବ ବିଷୟରେ ନଜାଣି ଗର୍ଭଧାରଣର ଯୋଜନା କରିବା ଦୁଃଖଦ ହୋଇପାରେ । କାରଣ ସ୍ବାମୀଙ୍କର ଯଦି ଏହି ଅଭ୍ୟାସ ଥାଏ ତେବେ ପତ୍ନୀ ଗର୍ଭବତୀ ହେବା କଷ୍ଟକର । ନିକଟରେ ଏକ ଦମ୍ପତି ସୋସିଆଲ ମିଡିଆରେ ତାଙ୍କର ଏପରି ଏକ ବ୍ୟକ୍ତିଗତ ଅଭିଜ୍ଞତା ସେୟାର୍ କରିଥିଲେ । ଅତ୍ୟଧିକ ମଦ୍ୟପାନ ସେମାନଙ୍କ ଦାମ୍ପତ୍ୟ ଜୀବନରେ କିପରି ପ୍ରଭାବ ପକାଇଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ ।"