ହାଇଦ୍ରାବାଦ: ଆଜିକାଲି ହୃଦ୍ଘାତ ଏକ ସାଧାରଣ ସମସ୍ୟା ପାଲଟିଛି । କେବଳ ବୃଦ୍ଧ ବ୍ୟକ୍ତି ହୃଦ୍ଘାତର ଶିକାର ହୁଅନ୍ତି, ଏ ଭାବନା ଭୁଲ୍ ପ୍ରମାଣିତ ହୋଇସାରିଲାଣି । ପିଲାଠୁ ବୟସ୍କ ସମସ୍ତଙ୍କୁ ଏହି ଗମ୍ଭୀର ବିପଦ ମାଡିବସୁଛି । ଜିମ୍, ସ୍କୁଲ, ଟ୍ରେନ, ଖେଳିବା, ନାଚିବା, ଗାଇବା ସମୟରେ ହୃଦଘାତରେ ଟଳି ପଡୁଥିବା ଭିଡିଓ ଭାଇରାଲ୍ ହେଉଛି । ଏହିସବୁ ଭିଡିଓ ଦେଖି ଅନ୍ୟମାନେ ମଧ୍ୟ ଭୟଭୀତ ହୋଇପଡିଲେଣି । ଯଦି ଘରେ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଏକୁଟିଆ ଥିବେ ଏବଂ ଏହି ବିପଦ ଆସିବ ତେବେ କଣ କରିବେ । ଏକୁଟିଆ ଥିବା ସମୟରେ ଯଦି ହୃଦ୍ଘାତ ଆସେ, ତେବେ ନିଜକୁ ବଞ୍ଚାଇବା ପାଇଁ କଣ କରିବେ, ଜାଣନ୍ତୁ
ପ୍ରଥମେ ହୃଦ୍ଘାତର ଲକ୍ଷଣ ଜାଣିନିଅନ୍ତୁ :ଶରୀରର ଯେକୌଣସି ସ୍ଥାନରେ ଯନ୍ତ୍ରଣା କିମ୍ବା ଅସୁବିଧା ଅନୁଭବ କରିବା । ଏସବୁ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଯଦି ଛାତି ଯନ୍ତ୍ରଣା, ଟାଣ, ଜ୍ବଳନ ଏବଂ ଓଜନିଆ ଲାଗିବା ଭଳି ସମସ୍ୟା ଅଛି, ତେବେ ଏହା ହୃଦଘାତର କାରଣ ହୋଇପାରେ । ଯଦି ବାନ୍ତି ଲାଗେ ଏବଂ ହୃଦସ୍ପନ୍ଦନ ବଢିଯାଏ, ତେବେ ତୁରନ୍ତ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି ।
ଆମ୍ବୁଲାନ୍ସ କିମ୍ବା ପ୍ରିୟଜନଙ୍କୁ ତୁରନ୍ତ ଜଣାନ୍ତୁ :ଯଦି ଏକାକୀ ରହୁଛନ୍ତି ଏବଂ ଶରୀରରେ କୌଣସି ପ୍ରକାରର ସମସ୍ୟା ଅନୁଭବ କରୁଛନ୍ତି, ତେବେ ଆମ୍ବୁଲାନ୍ସ, ଆଖପାଖରେ ଥିବା ଲୋକ କିମ୍ବା ଘନିଷ୍ଠ ବନ୍ଧୁଙ୍କୁ ଡାକନ୍ତୁ । ଯଥାଶୀଘ୍ର ସେମାନଙ୍କ ସହିତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।