ସାନ ଫ୍ରାନ୍ସିକୋ:ଆଜିର ସମୟରେ ଅନେକଙ୍କ ଠାରେ ହୃଦ ରୋଗ ଜନୀତ ସମସ୍ୟା ଦେଖିବାକୁ ମିଳୁ୍ଛି । ତେବେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ,ଖାଦ୍ୟକୁ ଶୀଘ୍ର ଖାଇବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମଥାଏ । ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଖାଦ୍ୟ ଗ୍ରହଣ କରିବା ପ୍ରଣାଳୀ ଏବଂ ହୃଦରୋଗ ମଧ୍ୟରେ ସମ୍ପର୍କ ଅଧ୍ୟୟନ କରିବା ପାଇଁ ନ୍ୟୁଟ୍ରି ନେଟ-ସାଣ୍ଟେ କୋହର୍ଟ (NutriNet-Sante cohort)ରେ 1,03,389 ଜଣଙ୍କୁ ଗବେଷଣାଭୁକ୍ତ କରିଥିଲେ । ସେଥିମଧ୍ୟରୁ 79 ପ୍ରତିଶତ ମହିଳା ଥିଲେ । ଯେଉଁମାନଙ୍କର ବୟସ ପାଖାପାଖି 42 ବର୍ଷ ଥିଲା ।
ସମ୍ଭାବ୍ୟ ପକ୍ଷପାତର ବିପଦକୁ ହ୍ରାସ କରିବାକୁ ଅନୁସନ୍ଧାନକାରୀମାନେ ବିଶେଷକରି ସୋସିଓଡେମୋଗ୍ରାଫିକ୍ ଫ୍ୟାକ୍ଟର୍ (ବୟସ, ଲିଙ୍ଗ, ପାରିବାରିକ ସ୍ଥିତି ଇତ୍ୟାଦି) ଖାଦ୍ୟପେୟର ପୁଷ୍ଟିକର ଗୁଣ, ଜୀବନଶୈଳୀ ଏବଂ ଶୟନ ଚକ୍ରକୁ ଧ୍ୟାନରେ ରଖିଥିଲେ । ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ, ଜଳଖିଆ ନକରିବା ଏବଂ ଦିନ ବେଳାର ଖାଦ୍ୟକୁ ବିଳମ୍ବରେ ଖାଇବା ଦ୍ବାରା ହୃଦରୋଗର ଆଶଙ୍କା ଅଧିକ ରହିଥାଏ । ଯାହା ପ୍ରତ୍ୟେକ ଘଣ୍ଟା ବିଳମ୍ବରେ ଖାଇବା ଦ୍ବାରା ଏହି ବିପଦ 6 ପ୍ରତିଶତ ବୃଦ୍ଧି ପାଇଥାଏ ।
ତେବେ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଉଦାହରଣ ସ୍ୱରୂପ- ଯେଉଁ ବ୍ୟକ୍ତି ସକାଳ 9ଟାରେ ପ୍ରଥମେ ଖାଦ୍ୟ ଖାଏ, ତାଙ୍କ ପାଖରେ ହୃଦ୍ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସକାଳ 8 ଟାରେ ଖାଇଥିବା ଲୋକ ଠାରୁ 6 ପ୍ରତିଶତ ଅଧିକ ଥାଏ । ସେହିପରି ଯଦି ଡିନର କଥା କହିବା ତେବେ ରାତି 8ଟା ପୂର୍ବରୁ ଖାଇବା ତୁଳନାରେ ରାତି 9ଟା ପରେ ଖାଇବା ଦ୍ବାରା ସେରେବ୍ରୋଭାସ୍କୁଲାର ରୋଗ ଭଳି ଷ୍ଟ୍ରୋକ ହେବାର ଆଶଙ୍କା 28 ପ୍ରତିଶତ ଅଧିକ ଥାଏ । ମହିଳାମାନଙ୍କ କ୍ଷେତ୍ରରେ ଏହି ବିପଦ ବିଶେଷ ଭାବରେ ଅଧିକ ଥାଏ ।