ହାଇଦ୍ରାବାଦ:ବିଶ୍ବରେ ପ୍ରାୟ 53 କୋଟିରୁ ଅଧିକ ଲୋକ ମଧୁମେହରେ ପୀଡିତ । ଆଜିକା ସମୟରେ ଏହା ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଏହି ରୋଗକୁ ରୋକିବା ପାଇଁ ସମସ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଥିଲେ ମଧ୍ୟ ପ୍ରତି ଘରେ ଘରେ ଚିହ୍ନଟ ହେଉଛନ୍ତି ମଧୁମେହ ରୋଗୀ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ରୋଗୀ ବ୍ୟାୟାମ ସହିତ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ତେବେ ଏନେଇ ନିକଟରେ ଏକ ଅନୁସନ୍ଧାନ କରାଯାଇଥିବା ବେଳେ ରିପୋର୍ଟ ପ୍ରକାଶ ପାଇଛି । ମଧୁମେହ ରୋଗୀ ସକାଳ 8ଟା ପୂର୍ବରୁ ଜଳଖିଆ ଖାଇବା ଉଚିତ ବୋଲି କୁହାଯାଇଛି ।
ଅସ୍ବାସ୍ଥ୍ୟକର ଖାଦ୍ୟ, ଶାରୀରିକ କାର୍ଯ୍ୟକଳାପର ଅଭାବ ଏବଂ ଧୂମପାନର ଅଭ୍ୟାସ ଯୋଗୁଁ ଟାଇପ-2 ଡାଇବେଟିସ ହେବାର ଆଶଙ୍କା ଅଧିକ ରହିଥାଏ । ତେବେ ଟାଇପ-2 ଡାଇବେଟିସ ପାଇଁ ଖାଦ୍ୟ ସମୟ ମଧ୍ୟ ଏକ କାରକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । 1,03,312 ଜଣ ବ୍ୟକ୍ତିକୁ ନେଇ ଅନୁସନ୍ଧାନ କରାଯାଇଥିଲା । ଖାଦ୍ୟ ସମୟ ଏବଂ ଟାଇପ-2 ଡାଇବେଟିସ ମଧ୍ୟରେ ସମ୍ପର୍କ ଜାଣିବା ପାଇଁ ଏହି ଅନୁସନ୍ଧାନ ହୋଇଥିଲା । ଅଧ୍ୟୟନରେ ବିଶେଷ ଭାବେ ଖାଦ୍ୟ ସମୟ ଉପରେ ଧ୍ୟାନ ଦିଆଯାଇଥିଲା । ଦୁଇ ବର୍ଷର ଖାଦ୍ୟପେୟକୁ ଅନୁଧ୍ୟାନ କରି 7 ବର୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା ।
1,03,312 ଜଣଙ୍କୁ ନେଇ ଅନୁଧ୍ୟାନ କରାଯାଇଥିବା ବେଳେ 963 ଜଣ ଡାଇବେଟିସରେ ପୀଡିତ ହୋଇଥିଲେ । ଯେଉଁମାନେ 9ଟା ପରେ ସକାଳ ଜଳଖିଆ ଖାଉଥିଲେ ସେମାନଙ୍କର ନିକଟରେ ଏହା ଦେଖାଯାଇଥିଲା । ସେମାନଙ୍କ ସ୍ବାସ୍ଥ୍ୟ ଉପରେ ବିପଦ ମଧ୍ୟ ଅଧିକ ରହିଥିଲା । ଖାଦ୍ୟ ନଖାଇବା କାରଣରୁ ଅର୍ଥାତ ଖାଲିପେଟରେ ରହିବା ଦ୍ବାରା ଗ୍ଲୁକୋଜ ଏବଂ କୋଲେଷ୍ଟ୍ରଲରେ ସନ୍ତୁଳନ ରୁହେ ନାହିଁ । ଇନସୁଲିନ୍ ହରମୋନର ମାତ୍ରା ମଧ୍ୟ ଅସନ୍ତୁଳନ ହେବାର ସମ୍ଭାବନା ଅଧିକ ରହିଥାଏ ।