ହାଇଦ୍ରାବାଦ:ଅନୁସନ୍ଧାନକାରୀ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ପୁଷ୍ଟିକର ବିଶେଷଜ୍ଞମାନେ ଗ୍ରୀନ୍ ଟି'ର ସ୍ୱାସ୍ଥ୍ୟ ଉପକାରିତାକୁ ପ୍ରୋତ୍ସାହିତ କରନ୍ତି । ନିୟମିତ ଭାବେ ଗ୍ରୀନ୍ ଟି' ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ମଧୁମେହ, ହୃଦରୋଗ ଏବଂ କର୍କଟ ଭଳି ଅନେକ ରୋଗର ଆଶଙ୍କା ମଧ୍ୟ କମିଯାଏ ବୋଲି ପ୍ରମାଣ ରହିଛି । ଆଣ୍ଟିଅକ୍ସିଡାଣ୍ଟରେ ଥିବା ଗ୍ରୀନ୍ ଟି' ମସ୍ତିଷ୍କର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ବର୍ତ୍ତମାନ, ଗ୍ରୀନ୍ ଟି'ର ଆଉ ଏକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଚିହ୍ନଟ ହୋଇଛି ।
ନୂତନ ଅଧ୍ୟୟନ ଅନୁଯାୟୀ, ଗ୍ରୀନ୍ ଟି' ଆଲଜାଇମର (Alzheimer) ରୋଗୀଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇପାରେ( Drinking Green Tea Daily May Benefit People With Alzheimer's Disease) । ଆମେରିକାର ଟୁଫ୍ଟସ୍(Tufts) ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରତିଦିନ ଗ୍ରୀନ୍ ଟି' ଏବଂ କେବେ କେବେ ରେଡ୍ ୱାଇନ୍ ପିଇବା ଦ୍ବାରା ମସ୍ତିଷ୍କରେ ପ୍ଲେକ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ତେବେ ପ୍ଲେକ୍(plaque) ହେଉଛି ଶରୀରର ଏକ ଅଙ୍ଗ କିମ୍ବା ଏକ ଅଂଶର ଟିସୁରେ ଏକ ଛୋଟ ଅସ୍ୱାଭାବିକ ପ୍ୟାଚ୍ । ସେହିପରି ଅଲଜାଇମର ହେଉଛି ଏକ ମସ୍ତିଷ୍କ ରୋଗ, ଯେଉଁ କାରଣରୁ ମସ୍ତିଷ୍କ ସ୍ନାୟୁ ସଂକୋଚନ ହୋଇଯାଏ ଏବଂ ମସ୍ତିଷ୍କ କୋଷଗୁଡ଼ିକ ନଷ୍ଟ ହୋଇଯାଏ ।
ଆଲଜାଇମର ରୋଗରେ ଗ୍ରୀନ୍ ଟି' କିପରି ସାହାଯ୍ୟ କରେ ?
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ରେଡ୍ ୱାଇନ୍ ଏବଂ ଗ୍ରୀନ୍ ଟିରେ ମିଳୁଥିବା କ୍ୟାଟେଚିନ୍ ଏବଂ ରେସଭେରାଟ୍ରୋଲ୍ ନ୍ୟୁରୋ କୋଷଗୁଡ଼ିକରେ ପ୍ଲେକ୍ ଗଠନକୁ ହ୍ରାସ କରିଛି । ଅନ୍ୟ ତିନୋଟି ଯୌଗିକ କର୍କୁମିନ୍ (ହଳଦୀରୁ ମିଳିଥାଏ), ମେଟଫର୍ମିନ୍ (ଏକ ଡାଇବେଟିସ୍ ଔଷଧ) ଏବଂ ସାଇଟିକୋଲିନ୍ ମଧ୍ୟ ପ୍ଲେକ୍ ଗଠନକୁ ପ୍ରତିରୋଧ କରିଥିଲା । କ୍ୟାଟେଚିନ୍ର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ପ୍ରଭାବ ରହିଛି ଏବଂ ଏହାର ସମ୍ଭାବ୍ୟ କର୍କଟ ଚିକିତ୍ସା ଭାବରେ ଅଧ୍ୟୟନ କରାଯାଇଥିବାବେଳେ ଏହାର ଆଣ୍ଟି-ଏଜିଂ(ବାର୍ଦ୍ଧକ୍ୟ ରୋକିବା) ଗୁଣ ପାଇଁ ରିସଭେରାଟ୍ରୋଲ୍ ଅନୁସନ୍ଧାନ କରାଯାଉଛି ।