ହାଇଦ୍ରାବାଦ:ବର୍ଷା ଋତୁ ଅସହ୍ୟ ଗରମରୁ ରକ୍ଷା କରିବା ସହ ମନକୁ ଶାନ୍ତି ଦେଇଥାଏ । ହେଲେ ଏହା ସହ ଅନେକ ସମସ୍ୟା ସାଙ୍ଗରେ ନେଇ ଆସିଥାଏ । ବର୍ଷା ଋତୁ ଆସିବା ମାତ୍ରେ ଫଙ୍ଗଲ ବା କବକ ସବୁ ସ୍ଥାନରେ ଅଧିକ ଦ୍ରୁତ ଗତିରେ ବଢିଥାଆନ୍ତି । ଜଳ ଏବଂ ଆର୍ଦ୍ରତାରେ କବକ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ବର୍ଷାରେ ଘଟୁଥିବା ଅନେକ ସମସ୍ୟା ମଧ୍ୟରୁ ଫଙ୍ଗଲ୍ ସଂକ୍ରମଣ ଅନ୍ୟତମ । ଏହି ଋତୁରେ ବର୍ଷା ପାଣିରୁ ନିଜକୁ ଦୂରେଇ ରଖିବା ପାଇଁ ଅନେକ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ଏହା ସମ୍ଭବ ହୋଇପାରିନଥାଏ । ଫଳରେ ପାଦ ସବୁବେଳେ ବର୍ଷା ପାଣିର ସଂସ୍ପର୍ଶରେ ଆସିବା ଦ୍ବାରା ପାଦରେ ସଂକ୍ରମଣର ସମ୍ଭାବନା ଅଧିକ ରହିଥାଏ । ପାଦ ଫୁଲିବା, ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଯାଇଥାଏ ।
ବର୍ଷା ଋତୁରେ ଫଙ୍ଗଲ ବା କବକ ସଂକ୍ରମଣରୁ କିଭଳି ବର୍ତ୍ତିବେ:
1.ସଠିକ ଚପଲ ବାଛନ୍ତୁ: ବର୍ଷା ଋତୁରେ ସଠିକ୍ ଚପଲ ବାଛିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏପରି ପାଗରେ ରବର କିମ୍ବା ପ୍ଲାଷ୍ଟିକ୍ ଚପଲ ପିନ୍ଧିବା ଭଲ । ବନ୍ଦ କପଡା ଜୋତା ଅର୍ଥାତ ସୁସ ଠାରୁ ଦୂରେଇ ରହିବା ଭଲ । କାରଣ ଏହି ଜୋତା ପାଣିକୁ ଶୋଷଣ କରି ନେଇଥାଆନ୍ତି ଏବଂ ପରବର୍ତ୍ତୀ ସମୟରେ ଫଙ୍ଗଲ ସଂକ୍ରମଣ ସମ୍ଭାବନା ଅଧିକ ରହିଥାଏ ।
2. ଛୋଟ ନଖ ରଖନ୍ତୁ: ମୌସୁମୀ ବା ବର୍ଷା ଋତୁରେ ଗୋଡରେ ବା ପାଦରେ ଫଙ୍ଗଲ ବା କବକ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଥାଏ । କବକମାନେ ପାଦର ନଖରେ ଶୀଘ୍ର ବଢିଥାଆନ୍ତି । ଚର୍ମକୁ ଲଗାଇ ନଖ କାଟି ଦେବା ଦ୍ବାରା ନଖରେ କବକ ସଂକ୍ରମଣ ହେବାର ସମ୍ଭାବନା କମ ରହିଥାଏ ।
3. ସ୍ବଚ୍ଛତା ବଜାୟୀ ରଖିବା ଆବଶ୍ୟକ: ଶରୀରକୁ ଶୁଖିଲା ଏବଂ ପରିଷ୍କାର ରଖିବା ଆବଶ୍ୟକ । ବିଶେଷତଃ ଝାଳ ବାହାରୁଥିବା ସ୍ଥାନରେ ପରିଷ୍କାର ପରିଛନ୍ନତା ବଜାୟୀ ରଖିବା ଆବଶ୍ୟକ । ବର୍ଷା ଋତୁରେ ଗାଧୁଆ ଗୃହରେ କବକ ବୃଦ୍ଧି ପାଇବାର ସମ୍ଭବନା ରହିଥିବାରୁ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।