ହାଇଦ୍ରାବାଦ:କୋଭିଡ ମହାମାରୀକୁ ନେଇ ଆଜି ବି ଲୋକଙ୍କ ମନରେ ଛନକା ରହିଛି । ଏହାରି ଭିତରେ ଆଉ ଏକ ରିସର୍ଚ୍ଚ ସାମ୍ନାକୁ ଆସିଛି । ନାଗପୁରର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ କରାଯାଇଥିବା ଏକ ଅନୁସନ୍ଧାନ ସମୟରେ ଅନୁସନ୍ଧାନକାରୀମାନେ ଏକ ବିରଳ କଥା ଜାଣିବାକୁ ପାଇଥିବା କୁହାଯାଇଛି । ଯେଉଁମାନଙ୍କ ଆଖିରେ କୌଣସି ପ୍ରକାରର ସମସ୍ୟା ଦେଖାଯାଇନଥିଲା ସେମାନଙ୍କ ଆଖିର ଲୁହରେ କୋଭିଡ-19 ମହାମାରୀ ପଛରେ ଥିବା ଭାଇରସ SARS-CoV-2 ମିଳିଥିବା ନେଇ କୁହାଯାଇଛି ।
ଏକ ଅନୁସନ୍ଧାନରେ 40ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ କ୍ୟୁରିୟସ ଜର୍ନାଲରେ ପ୍ରକାଶିତ ହୋଇଛି । 40 ଜଣଙ୍କ ମଧ୍ୟରୁ 26ଜଣ (65 ପ୍ରତିଶତ) ମଧ୍ୟମ କୋଭିଡ୍, 6(15 ପ୍ରତିଶତ) ଗୁରୁତର କୋଭିଡ୍ ଏବଂ ଅବଶିଷ୍ଟଗୁଡିକ ମୃଦୁ କୋଭିଡ୍ ଭାବରେ ଶ୍ରେଣୀଭୁକ୍ତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: କୋରୋନା ସଂକ୍ରମଣ ପରେ ବଦଳିଗଲା ଆଖିର ରଙ୍ଗ, ନୂଆ ଭାରିଆଣ୍ଟ ନେଇ WHOର ଆଲର୍ଟ
ତେବେ ରିପୋର୍ଟରେ କୁହାଯାଇଛି ଯେ, 40ଜଣ ରୋଗୀଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ (12 ପ୍ରତିଶତ) RT-PCR ଟେଷ୍ଟ କରାଯାଇଥିଲା। ଯେତେବେଳେ ସେମାନଙ୍କର ଲୁହ ନମୁନା ପରୀକ୍ଷା କରାଯାଇଥିଲା, ସେଥିରେ SARS-CoV-2 ଭାଇରସ ମିଳିଥିବା ନେଇ ରିପୋର୍ଟରେ କୁହାଯାଇଛି । ଏହି 5 ଜଣଙ୍କ ମଧ୍ୟରୁ 20 ପ୍ରତିଶତଙ୍କ ଆଖି ସମ୍ବନ୍ଧୀୟ ଲକ୍ଷଣ ଦେଖାଯାଇଥିବା ବେଳେ ଅବଶିଷ୍ଟ 80 ପ୍ରତିଶତ ଆଖି ସମ୍ବନ୍ଧୀୟ ଲକ୍ଷଣ ଦେଖା ଯାଇନଥିଲା । ତେବେ ଅନ୍ୟମାନଙ୍କ ଲୁହରେ ସେହି ଭୂତାଣୁ ମିଳିଲା ନାହିଁ ବୋଲି AIIMS ନାଗପୁରର ଚକ୍ଷୁ ବିଭାଗର ବରିଷ୍ଠ ଚିକିତ୍ସକ କନିଷ୍ ସିଂ କହିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, COVID ରୋଗୀଙ୍କ କଞ୍ଜୁକ୍ଟିଭାଲ୍ ସ୍ବାବରେ SARS-CoV-2 ଚିହ୍ନଟ ହୋଇଛି ।