ହାଇଦ୍ରାବାଦ:କୋରୋନା ଭାଇରସର ନାମ ଶୁଣିଲେ ଆଜି ମଧ୍ୟ ମନରେ ଛନକା ଆସୁଛି। ଅନେକ ଜୀବନ ନେଇଛି କୋରୋନା ଭାଇରସ। ସଂକ୍ରମଣର ହାର କମ୍ ରହିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଜି ଯାଏଁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥାଆନ୍ତି। ହେଲେ ଆପଣ ଜାଣିଛନ୍ତି କି କୋରୋନା ଭାଇରସର କାରଣ ସାଜିଥିବା SARS-CoV-2 ସଂକ୍ରମିତ ବ୍ୟକ୍ତିର ଫୁସଫୁସରେ କେତେ ଦିନ ରହିପାରେ ? ନିକଟରେ ଏନେଇ ଏକ ଅଧ୍ୟୟନ ସାମ୍ନାକୁ ଆସିଛି। କେରୋନାରେ ସଂକ୍ରମିତ ହେବା ପରେ ଜଣେ ବ୍ୟକ୍ତିର ଫୁସଫୁସରେ ଭାଇରସ 18 ମାସ ପର୍ଯ୍ୟନ୍ତ ରହିପାରେ ବୋଲି କୁହାଯାଇଛି। ତେବେ ଭାଇରସ କେତେ ସମୟ ରହିବ ତାହା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରେ ବୋଲି କୁହାଯାଇଛି। ଏନେଇ ରିପୋର୍ଟ ନେଚର ଇମ୍ୟୁନୋଲୋଜି ଜର୍ଣ୍ଣଲରେ ପ୍ରକାଶିତ ହୋଇଛି।
କୋଭିଡରେ ସଂକ୍ରମିତ ହେବାର ଏକରୁ ଦୁଇ ସପ୍ତାହ ପରେ SARS CoV-2 ଭାଇରସ ସାଧାରଣତଃ ଶ୍ବସନନଳୀରେ ଚିହ୍ନଟ ହୋଇନଥାଏ। କିନ୍ତୁ କେତେକ ଭାଇରସ ସଂକ୍ରମଣ ପରେ ଶରୀରରେ ଗୁପ୍ତ ଏବଂ ଅଜ୍ଞାତ ଅବସ୍ଥାରେ ରହିପାରନ୍ତି ବୋଲି କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଶରୀରର ଭାଇରାଲ ଭଣ୍ଡାର କୁହାଯାଉଥିବା ସ୍ଥାନରେ ଏହି ଭାଇରସ ସୁପ୍ତ ଅବସ୍ଥାରେ ରହିଥାଆନ୍ତି ବୋଲି କୁହାଯାଇଛି। ବିଶେଷକରି ଶ୍ବସନନଳୀ ଏବଂ ରକ୍ତକୁ ଭାଇରାଲ ଭଣ୍ଡାର ବୋଲି କୁହାଯାଏ।