ହାଇଦ୍ରାବାଦ:କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ନୂଆ ଭାରିଆଣ୍ଟ ଜେଏନ 1 ସଂକ୍ରମିତଙ୍କ ସଂଖ୍ୟା କେରଳ ଏବଂ କର୍ଣ୍ଣାଟକରେ ବଢି ଚାଲିଛି । ତେବେ ପଜିଟିଭ ରେଟକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ କର୍ଣ୍ଣାଟର ସରକାର ପକ୍ଷରୁ ମଧ୍ୟ ଆଡଭାଇଜରୀ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜେଏନ 1 ଭାରିଆଣ୍ଟ ପାଇଁ କୌଣସି ଟିକା ବାହାରି ନଥିବାବେଳେ କୋଭିଡ ଟିକା ହିଁ ପ୍ରତିହତ କରିବାରେ ସାହାଯ୍ୟ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଜେଏନ 1 ଭାରିଆଣ୍ଟ ଚିହ୍ନଟ ପରେ କୋଭିଡ ଟିକା ନେଇ ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହୋଇଛି । ଏହି ଭାରିଆଣ୍ଟରୁ ବର୍ତ୍ତିବା ପାଇଁ ପୁନଃ ଟିକା ନେବା ଆବଶ୍ୟବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଇସିଏମଆରର ପୂର୍ବତନ ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ । ଯଦି ଜଣେ ଥରେ କୋଭିଡ ଟିକା ନେଇଥିବେ ତାହେଲେ ପୁନଃ ଟିକା ନେବା ଆବଶ୍ୟକ ନୁହେଁ ବୋଲି ସେ ଇନାଡୁ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ।
ଡାକ୍ତର ବଳରାମ ଭାର୍ଗବ ହେଉଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ପୂର୍ବତନ ମୁଖ୍ୟ ଏବଂ AIIMS କାଡିଓଲୋଜି ବିଭାଗର ପ୍ରଫେସର । ତାଙ୍କ କହିବା ଅନୁସାରେ, "କୋରୋନାର ନୂଆ ଭାରିଆଣ୍ଟ ଜେଏନ1କୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କର୍ଣ୍ଣାଟକ ଏବଂ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ତେଣୁ ଯେଉଁମାନେ ଥରେ କୋଭିଡ ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କୁ ପୁନଃ ଟିକା ନେବାର କୌଣସି ଆବଶ୍ୟକତା ନାହିଁ । କୋଭିଡ ଟିକା ସହିତ ହୃଦଘାତର କୌଣସି ସମ୍ପର୍କ ନାହିଁ ।"
ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ମାଡୁଛି କୋରୋନା, ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ