ହାଇଦ୍ରାବାଦ:ବିଗତ 4 ବର୍ଷ ଧରି ପିଛା ଛାଡୁନି କୋରୋନା ଭାଇରସ । କ୍ରମାଗତ ଚତୁର୍ଥ ବର୍ଷ ପାଇଁ ବିଶ୍ବରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଥିପାଇଁ କୋରୋନାର ସବ୍ ଭାରିଆଣ୍ଟ ଜେଏନ 1 ଦାୟୀ ବୋଲି କୁହାଯାଇଛି । ଏକ ମାସ ମଧ୍ୟରେ ଚୀନ, ସିଙ୍ଗାପୁର, ଭାରତ ସମେତ ଅନେକ ଦେଶରେ କୋରୋନା ମାମଲା ରେକର୍ଡ ସ୍ତରରେ ବୃଦ୍ଧି ପାଉଛି । ତେବେ ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋରୋନାର ଏହି ନୂଆ ଭାରିଆଣ୍ଟର ସଂକ୍ରମଣ ହାର ଅଧିକ ଅଟେ । ତେବେ ଏଥିରେ ଆକ୍ରାନ୍ତ ହେବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ୍ ହେବାରେ ଲାଗିଛି । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟରେ ବର୍ଗୀକୃତ କରାଯାଇଛି ।
2019 ମସିହା ଡିସେମ୍ବର ମାସରେ ପ୍ରଥମେ ଚୀନରୁ ଆରମ୍ଭ ହୋଇଥିବା କୋରୋନା ସଂକ୍ରମଣ । ତେବେ ଏହାରି ମଧ୍ୟରେ 4 ବର୍ଷ ବିତିଯାଇଥିଲେ ସୁଦ୍ଧା ଥମିବାର ନାମ ନେଉନାହିଁ । ତେବେ ଟିକା ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବାରୁ ଗୁରୁତର ହେବାର ଆଶଙ୍କା କମ୍ ହେବାରେ ଲାଗିଛି । ତେବେ ଏହାରି ଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ନଭେମ୍ବର କିମ୍ବା ଡିସେମ୍ବର ମାସରେ କାହିଁକି ବୃଦ୍ଧି ପାଏ ସଂକ୍ରମଣ ମାମଲା । ଜାଣନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
ପୁଣି ବୃଦ୍ଧି ପାଇଲା ସଂକ୍ରମଣ ମାମଲା: 2023 ମସିହା ଆରମ୍ଭରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲା । ସର୍ବଭାରତୀୟ ସ୍ତରରେ ସଂକ୍ରମଣ ହ୍ରାସ ପାଇବା କାରଣରୁ ଗତ ମେ' ମାସରେ WHO ପକ୍ଷରୁ ଏହାକୁ ମହାମାରୀ ତାଲିକାରୁ ହଟାଇ ଦିଆଯାଇଥିଲା । ତେବେ ବର୍ଷ ଶେଷ ହେବା ବେଳକୁ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ଅଟେ । ତେବେ ଶୀତ ଋତୁ ଆସିଲେ ସଂକ୍ରମଣ ମାମଲା କାହିଁକି ବୃଦ୍ଧି ପାଇଥାଏ ଏବଂ ନୂଆ ଭାରିଆଣ୍ଟ କାହିଁକି ସୃଷ୍ଟି ହୋଇଥାଏ ସେନେଇ ଅନେକ ଅଧ୍ୟୟନ ମଧ୍ୟ ଜାରି ରହିଛି ।