ଓଡିଶା

odisha

ETV Bharat / sukhibhava

କୋଭିଡରେ ଦୀର୍ଘ ସମୟ ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କ କାର୍ଯ୍ୟ ହେଉଛି ପ୍ରଭାବିତ - କୋଭିଡ ଉପରେ ବୈଜ୍ଞାନିକଙ୍କ ନୂଆ ତଥ୍ୟ

ଦୀର୍ଘ ସମୟ ଧରି କୋଭିଡ ସଂକ୍ରମଣ ମସ୍ତିଷ୍କ ଉପରେ ପ୍ରଭାବ ପକାଉଛି(COVID-19 Is Linked to Detectable Brain Changes) । ନିକଟରେ ହୋଇଥିବା ଏକ ନୂତନ ଅନୁସନ୍ଧାନରୁ ଏପରି ଚିନ୍ତାଜନକ ତଥ୍ୟ ପାଇଲେ ବୈଜ୍ଞାନିକ । ଅଧିକ ପଢନ୍ତୁ

କୋଭିଡରେ ଦୀର୍ଘ ସମୟ ସଂକ୍ରମିତ ବ୍ଯକ୍ତିଙ୍କ ମସ୍ତିଷ୍କ କାର୍ଯ୍ୟ ପ୍ରଭାବିତ ହେଉଛି
କୋଭିଡରେ ଦୀର୍ଘ ସମୟ ସଂକ୍ରମିତ ବ୍ଯକ୍ତିଙ୍କ ମସ୍ତିଷ୍କ କାର୍ଯ୍ୟ ପ୍ରଭାବିତ ହେଉଛି

By

Published : Nov 22, 2022, 11:05 AM IST

ନୂଆଦିଲ୍ଲୀ: ମହାମାରୀ କୋଭିଡ ମଧ୍ୟରେ ମାନବ ସମାଜ, ପୂର୍ବୋପରି ଜୀବନ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ, ବୈଜ୍ଞାନିକମାନେ କିନ୍ତୁ ନିରବ ବସିନାହାନ୍ତି । ଏହି ଭୂତାଣୁ ସଂକ୍ରମଣ ସମୟରେ ଏବଂ ପରେ କି କି ପ୍ରଭାବ ପକାଇଥାଏ ତା' ଉପରେ ଜାରି ରଖିଛନ୍ତି ଅନୁସନ୍ଧାନ । ଏହାରି ମଧ୍ୟରେ COVID-19 ସଂକ୍ରମଣ ନେଇ ଏକ ନୂଆ ତଥ୍ୟ ପାଇଛନ୍ତି ଅନୁସନ୍ଧାନକାରୀ । ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ଧରି କୋଭିଡରେ ସଂକ୍ରମଣ ପରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ପରିବର୍ତ୍ତନ ହେଉଥିବା ଜଣାପଡିଛି(COVID-19 Is Linked to Detectable Brain Changes) ।

ଏହି କାରଣରୁ ମସ୍ତିଷ୍କର ଫ୍ରୋଣ୍ଟଲ ଲୋବ୍ ଏବଂ ବ୍ରେନ୍ ଷ୍ଟେମ୍‌ ବାଧାପ୍ରାପ୍ତ ହେଉଛି, ଯେଉଁ କାରଣରୁ ଥକ୍କା, ଅନିଦ୍ରା, ଚିନ୍ତା, ଉଦାସୀନତା, ମୁଣ୍ଡବିନ୍ଧା ଏବଂ ଜ୍ଞାନଗତ ସମସ୍ୟା ଆଦି ଦେଖାଯାଉଛି । ଉତ୍ତର ଆମେରିକାର ରେଡିଓଲୋଜିକାଲ୍ ସୋସାଇଟିର (Radiological Society of North America, RSNA) ବାର୍ଷିକ ବୈଠକରେ ଏହି ତଥ୍ୟ ଉପସ୍ଥାପିତ ହୋଇଛି । COVID-19ରୁ ସୁସ୍ଥ ହେବା ପରେ ଭୂତାଣୁ ସ୍ନାୟୁ ଉପରେ କୌଣସି ପ୍ରଭାବ ପକାଏ କି ନାହିଁ, ତା' ଉପରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା ।

ବୈଜ୍ଞାନିକମାନେ ଗତ 6 ମାସ ମଧ୍ୟରେ COVID-19 ରେ ସଂକ୍ରମିତ ହୋଇଥିବା 46 ଜଣଙ୍କ ମସ୍ତିଷ୍କର MRI ସ୍କାନ କରିଥିଲେ ଏବଂ ସେମାନଙ୍କୁ 30 ଜଣ, ଯେଉଁମାନେ କେବେ ବି କୋଭିଡରେ ସଂକ୍ରମିତ ହୋଇନଥିଲେ ସେମାନଙ୍କ ସ୍କାନ ସହିତ ତୁଳନା କରିଥିଲେ । ଏଥିରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, COVID-19 ରୁ ସୁସ୍ଥ ହୋଇଥିବା ଅଧିକାଂଶ ଲୋକଙ୍କର ଫ୍ରଣ୍ଟାଲ୍ ଲୋବ୍ ଏବଂ ମସ୍ତିଷ୍କ ଷ୍ଟେମ୍ ଅଞ୍ଚଳରେ କ୍ଷୁଦ୍ର ରକ୍ତବାହୀଗୁଡିକର ରକ୍ତ ସଞ୍ଚାଳନରେ ପରିବର୍ତ୍ତନ ଆସିଛି, ଯାହା ଭାଷା ଅଭିବ୍ୟକ୍ତି(Language expression), ସ୍ବେଇଚ୍ଛାରେ କୌଣସି କାର୍ଯ୍ୟ କରିବା ଏବଂ ଜ୍ଞାନଗତ ପରିବର୍ତ୍ତନ ହୋଇଥିବା ଜଣାପଡିଛି । ତେବେ ଫ୍ରଣ୍ଟାଲ୍ ଲୋବ୍(frontal lobe) ହେଉଛି ମସ୍ତିଷ୍କର ସବୁଠାରୁ ବଡ ଲୋବ୍ ଏବଂ ଏହା ଖୁବ୍ ସମ୍ବେଦନଶୀଳ ।

ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପିଏଚଡି ପ୍ରାର୍ଥୀ ସ୍ବପ୍ନା ଏସ୍ ମିଶ୍ରା ଏବଂ ଏକ ଅନୁସନ୍ଧାନକାରୀ ଦଳ ଏକ ସ୍ବତନ୍ତ୍ର ପ୍ରକାରର MRI ବ୍ୟବହାର କରି ଏହି ଅନୁସନ୍ଧାନ କରିଥିଲେ । ଅଧ୍ୟୟନର ସହ-ଲେଖିକା ସ୍ବପ୍ନା ମିଶ୍ରା କହିଛନ୍ତି ଯେ, "ଅନୁସନ୍ଧାନ ସମୟରେ ମସ୍ତିଷ୍କର ଭେଣ୍ଟ୍ରାଲ୍ ଡାଇଏନ୍ସଫାଲନ୍ ଅଞ୍ଚଳରେ(Ventral diencephalon region) ମଧ୍ୟ ଏକ ପାର୍ଥକ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳ ଅନେକ ଗୁରୁତ୍ୱପୂର୍ଣ୍ଣ ଶାରୀରିକ କାର୍ଯ୍ୟ ସହିତ ଜଡିତ, ହରମନ୍ ମୁକ୍ତ କରିବା ପାଇଁ ଏଣ୍ଡୋକ୍ରାଇନ୍ ସିଷ୍ଟମ୍ ସହିତ ସମନ୍ୱୟ ରକ୍ଷା କରିବା, ମସ୍ତିଷ୍କ କର୍ଟେକ୍ସରେ ସେନ୍ସରୀ, ମୋଟର ସିଗନାଲ୍ ପ୍ରସାରଣ ଏବଂ ସର୍କାଡିୟନ୍ ରିଦମ୍ସ(ଶୋଇବା-ଚକ୍ର) ନିୟନ୍ତ୍ରଣ ଇତ୍ୟାଦି କାର୍ଯ୍ୟ କରିଥାଏ ।"

ସେ କହିଛନ୍ତି ଯେ, "ଏହି ଅଧ୍ୟୟନ ଗୁରୁତର ଦୀର୍ଘକାଳୀନ ଜଟିଳତାକୁ ସୂଚାଇଥାଏ ଯାହା ସଂକ୍ରମଣରୁ ସୁସ୍ଥ ହେବାର 6 ମାସେ ପରେ ମଧ୍ୟ କରୋନା ଭାଇରସ୍ ଦ୍ବାରା ହୋଇପାରେ । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (Control and Prevention) ଅନୁଯାୟୀ ପ୍ରାୟ ପାଞ୍ଚ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଦୀର୍ଘ ସମୟ କୋଭିଡ-19 ରେ ସଂକ୍ରମିତ ହେବା ପରେ ଏହି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଏହି ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି ଯେ, କୋଭିଡ -19 ହୃଦୟ, ଫୁସଫୁସ କିମ୍ବା ଅନ୍ୟାନ୍ୟ ଅଙ୍ଗରେ ପରିବର୍ତ୍ତନ ସହିତ ଜଡିତ ହୋଇପାରେ ।"

ମିଶ୍ରା କହିଛନ୍ତି ଯେ, "ଆମର ଅଧ୍ୟୟନ କୋଭିଡ-19 ର ସ୍ନାୟୁଗତ ପ୍ରଭାବର ଏହି ନୂତନ ଦିଗକୁ ଆଲୋକିତ କରିଛି ଏବଂ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କି କି ଅସ୍ୱାଭାବିକତା ପ୍ରକାଶ ପାଉଛି ତାହା ବିଷୟରେ ରିପୋର୍ଟ କରିଛି । ଏହି ଅନୁସନ୍ଧାନ ଆଗାମୀ ଦିନରେ ରୋଗୀଙ୍କ ଚିକିତ୍ସା ଦିଗରେ ସହାୟକ ହେବ ।

ABOUT THE AUTHOR

...view details