ହାଇଦ୍ରାବାଦ:ବିଭିନ୍ନ ପ୍ରକାରର କାର୍ଯ୍ୟ ଏବଂ ପରିବାରର ସମସ୍ତ ଦାୟିତ୍ବରେ ତୁଲାଉଥିବା ମହିଳାମାନେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ । ଏହି ଅସାବଧାନତା ସ୍ବାସ୍ଥ୍ୟଗତ ପ୍ରତିକୂଳ ପରିସ୍ଥିତିକୁ ଆହୁରି ଆଗକୁ ନେଇପାରେ । କେବଳ ସେମାନଙ୍କର ମଧ୍ୟମ ଜୀବନରେ ନୁହେଁ, ମହିଳାମାନେ ଯୁବାବସ୍ଥାରୁ ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ମହିଳାମାନେ ସେମାନଙ୍କ ଜୀବନରେ କିଛି ସାଧାରଣ ସମସ୍ୟା ସାମ୍ନା କରନ୍ତି, ଯାହାକୁ ଠିକ୍ ସମୟରେ ଚିକିତ୍ସା କରାଯିବା ଆବଶ୍ୟକ ।
ମହିଳାମାନେ ସାମନା କରୁଥିବା ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା:-
ଜଣେ ମହିଳାଙ୍କ ଶରୀରରେ ତାଙ୍କ ଜୀବନସାରା ଅନେକ ପରିବର୍ତ୍ତନ ହୋଇଥାଏ । ଶରୀରରେ ହେଉଥିବା ପରିବର୍ତ୍ତନ ବୃଦ୍ଧି କିମ୍ବା ବିକାଶକୁ ସୂଚାଇପାରେ, ଅନ୍ୟମାନେ ହୁଏତ ଏକ ଗୁରୁତର ସ୍ବାସ୍ଥ୍ୟ ଅବସ୍ଥାକୁ ସୂଚାଇଥାନ୍ତି । ଏହି କାରଣରୁ ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କ ହେବା ଆବଶ୍ୟକ । ଉତ୍ତରାଖଣ୍ଡର ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ବିଜୟାଲକ୍ଷ୍ମୀ ମହିଳାମାନେ ସାମନା କରୁଥିବା ସ୍ବାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।
ବୟସ ବଢିବା ପରେ ମହିଳା ଋତୁସ୍ରାବ ଓ ପ୍ରଜନନ ସମ୍ବନ୍ଧୀୟ ସମସ୍ୟାର ସାମନା କରିଥାନ୍ତି । ସେମାନେ ଯୌନ ଯନ୍ତ୍ରଣା(Vaginal Pain), କୁଣ୍ଡିଆ(Itching), ମୂତ୍ରାଶୟ ସଂକ୍ରମଣ (UTIs), ଋତୁସ୍ରାବରେ ଅନିୟମିତା, ଅସାଧାରଣ ଯୌନ ନିଷ୍କାସନ(Unusual Vaginal Discharge) ଇତ୍ୟାଦି ଅନୁଭବ କରିପାରନ୍ତି । ଯଦି ଏହି ସମସ୍ୟାଗୁଡିକୁ ଉପେକ୍ଷା କରାଯାଏ, ତେବେ ପରବର୍ତ୍ତୀ ସମୟରେ ଏହା ଆହୁରି ଖରାପ ହୋଇପାରେ । ଡକ୍ଟର ବିଜୟାଲକ୍ଷ୍ମୀଙ୍କ ଏଠାରେ ବ୍ୟାଖ୍ୟା କରାଯାଇଥିବା ମହିଳାଙ୍କ କିଛି ସାଧାରଣ ସମସ୍ୟା:-
ଋତୁସ୍ରାବରେ ଅନିୟମିତତା(Irregular Menstrual Cycle):-
କୌଣସି ଝିଅ କିମ୍ବା ମହିଳାଙ୍କ ପାଇଁ ଋତୁସ୍ରାବରେ ଅନିୟମିତତା ହେବା ସ୍ବାଭାବିକ ନୁହେଁ । ଅନିୟମିତା, ଦୁଇଟି ଚକ୍ର ମଧ୍ୟରେ ଦୀର୍ଘ ବ୍ୟବଧାନ, ଜମାଟ ବାନ୍ଧିବା, ପ୍ରବଳ ରକ୍ତସ୍ରାବ, ଦୀର୍ଘ ରକ୍ତସ୍ରାବ, ଦାଗ ଇତ୍ୟାଦି ସମସ୍ୟା ଦେଖାଯାଇଥାଏ । ତେବେ ଯେପର୍ଯ୍ୟନ୍ତ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ନ ପଡ଼ିଥାଏ ସେପର୍ଯ୍ୟନ୍ତ ମହିଳାମାନେ ଏହାକୁ ଅଣଦେଖା କରିଥାନ୍ତି । ସାଧାରଣତଃ ଏପରି ସମସ୍ତ ସମସ୍ୟା ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ(PCOS)ର ଲକ୍ଷଣ ହୋଇପାରେ । ଯାହା ଏକ ହରମୋନାଲ ବ୍ୟାଧି(Hormonal Disorder) ଅଟେ ଏବଂ ଏହା ପ୍ରଜନନ କ୍ଷମତା ହ୍ରାସ କରିଥାଏ ।