ହାଇଦ୍ରାବାଦ:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହୃଦଘାତ ମାମଲା । ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ନିକଟରେ ହାର୍ଟକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦୈନିକ ୫୦ ସିଢି ଚଢିବା ଦ୍ବାରା ହୃଦୟ ରୋଗର ଆଶଙ୍କା କମ ହୋଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏନେଇ ଦି ଇଣ୍ଡିପେଣ୍ଡେଣ୍ଟରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଦୈନିକ ୫୦ ସିଢ଼ି ଚଢ଼ିବା ଦ୍ବାରା ହୃଦ୍ରୋଗ ଆଶଙ୍କା ପ୍ରାୟ ୨୦ ପ୍ରତିଶତ କମିଥାଏ ବୋଲି କୁହାଯାଇଛି । ତୁଳାନ ୟୁନିଭର୍ସିଟିରେ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି ।
ସିଢି ଚଢିବା ଦ୍ବାରା ହୃଦୟକୁ କେଉଁ ଫାଇଦା ହୋଇଥାଏ:ଚାପ, କରୋନାରୀ ଧମନୀ ସମ୍ବନ୍ଧୀୟ ସମସ୍ୟା ଏବଂ ଆଥେରୋସ୍କ୍ଲେରୋଟିକ୍ ହୃଦ୍ରୋଗ (ASCVD)ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବରେ ଅନେକ ଲୋକଙ୍କ ଜୀବନ ନେଉଛି ଏହି ରୋଗ । ଦି ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ସିଢ଼ି ଚଢ଼ିବା ଦ୍ବାରା କାର୍ଡିଓରେସ୍ପିରାଟୋରୀ ଫିଟ୍ନେସ୍ ଏବଂ ଲିପିଡ୍ ପ୍ରୋଫାଇଲରେ ଉନ୍ନତି ଆଣିବା ପାଇଁ ଏକ ସହଜ ଉପାୟ ଅଟେ । ଯେଉଁମାନେ ବ୍ୟାୟାମ କିମ୍ବା ଜିମ୍ ଯାଆନ୍ତି ନାହିଁ ସେମାନେ ଦୈନିକ ୫୦ ସିଢ଼ି ଚଢିବା ଉଚିତ ବୋଲି କୁହାଯାଇଛି । ତୁଲାନ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ଏବଂ ଟ୍ରପିକାଲ୍ ମେଡିସିନ୍ର ଜଣେ ପ୍ରଫେସର ଏହା କହିଛନ୍ତି । ଯଦି ହୃଦରୋଗର ଆଶଙ୍କା କମ କରିବାକୁ ଚାହାନ୍ତି ତେବେ ସିଢ଼ି ଚଢିବା ଆବଶ୍ୟକ ବୋଲି କୁହାଯାଇଛି ।
ଏହି ରିସର୍ଚ୍ଚରେ 450,000 ବୟସ୍କଙ୍କୁ ସାମିଲ କରାଯାଇଥିଲା । ହୃଦୟ ସମ୍ବନ୍ଧୀୟ ରୋଗ ଚିହ୍ନଟ କରିବା ପାଇଁ, ସମ୍ପୃକ୍ତ ଲୋକଙ୍କୁ ପ୍ରଥମେ ସେମାନଙ୍କର ହୃଦଘାତର ପାରିବାରିକ ଇତିହାସ ଏବଂ ଜେନେଟିକ ବିପଦ କାରଣ ଉପରେ ଆଧାର କରି ମୂଲ୍ୟାଙ୍କନ କରାଯାଇଥିଲା । ଲାଇଫଷ୍ଟାଇଲ ଏବଂ ସିଢି ଚଢିବାକୁ ନେଇ ସାଢେ ୧୨ ବର୍ଷ ଧରି ଅନୁଧ୍ୟାନ କରାଯାଇଥିଲା । ଏହି ରିସର୍ଚ୍ଚରେ ଏହା କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ଅଧିକ ସିଢି ଚଢନ୍ତି ସେମାନଙ୍କୁ ହୃଦଘାତର ଆଶଙ୍କା କମ ରହିଥାଏ ।