ହାଇଦ୍ରାବାଦ:କୋରୋନାକୁ ନେଇ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ରହିଛି । କୋରୋନା ମହାମାରୀ ଏବଂ ଏହାର ଭାରିଆଣ୍ଟକୁ ବହୁ କଷ୍ଟରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଠଛି ବିଶ୍ବ । ତଥାପି କେତେକ ଦେଶରେ ମାମଲା ସାମ୍ନାକୁ ଆସିଛି । ଏହାରି ଭିତରେ ଚାଇନାର ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି । 8ଟି ଘାତକ ଭାଇରସ ଚିହ୍ନଟ ହୋଇଥିବା ନେଇ କହିଛନ୍ତି ଚାଇନା ବୈଜ୍ଞାନିକ । ତେବେ ବ୍ୟକ୍ତିଙ୍କ ମଧ୍ୟରେ ଏହି ସଂକ୍ରମଣ ବ୍ୟାପିପାରେ ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି । ଏହି କାରଣରୁ ବିଶ୍ବରେ ଆଉ ଏକ ମହାମାରୀ ଆସିପାରେ ବୋଲି କୁହାଯାଇଛି ।
ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଚାଇନାର ବୈଜ୍ଞାନିକମାନେ ଭବିଷ୍ୟତର ମହାମାରୀ ଉପରେ ଗବେଷଣା କରିସାରିଛନ୍ତି । ଏଥିପାଇଁ ସେମାନେ ଚାଇନର ଏକ ଦ୍ବୀପରେ ମୂଷାମାନଙ୍କ ଠାରୁ 700 ନମୁନା ସଂଗ୍ରହ କରିଥିଲେ । ତେବେ ଅନୁସନ୍ଧାନ ସମୟରେ ନୂଆ 8ଟି ଭାଇରସ ପାଇଛନ୍ତି ବୈଜ୍ଞାନିକ । ସେଥିମଧ୍ୟରୁ ଗୋଟିଏ କୋରୋନା ଭାଇରସ ସହ ସମାନ ବୋଲି କୁହାଯାଇଛି । ଚାଇନା ଆସୋସିଏସନ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହିତ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି ।
ରିପୋର୍ଟ ମୁତାବକ, କରାଯାଇଥିବା ଅନୁସନ୍ଧାନରେ 2017 ରୁ 2021 ମଧ୍ୟରେ ମୂଷାମାନଙ୍କର ମଳଦ୍ବାର ଏବଂ ଗଳାରୁ 682ଟି ନମୁନା ସଂଗ୍ରହ କରାଯାଇଥିଲା । ନମୁନାକୁ ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯାଇଥିଲା । ତେବେ ଯାଞ୍ଚ ସମୟରେ ଅନେକ ନୂଆ ଭାଇରସ ସାମ୍ନାକୁ ଆସିଥିଲା । କୋରୋନା ଭାଇରସ ଭଳି ଏକ ଭୂତାଣୁ ଚିହ୍ନଟ ହେବା ପରେ ବୈଜ୍ଞାନିକମାନେ CoV-HMU-1 ନାମିତ କରିଥିଲେ।