ହାଇଦ୍ରାବାଦ:ପୁଣି ଚିନ୍ତା ବଢ଼ାଇଲା କୋରୋନା ମହାମାରୀ । ବିଶ୍ବରେ କୋରୋନାର କେତେକ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚିନ୍ତା ବଢ଼ିଛି । ଏନେଇ ଗତକାଲି(ସୋମବାର) କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ପିକେ ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି । ଟେଷ୍ଟିଂ ବଢ଼ାଇବା ସହିତ ନୂଆ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ସମସ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।
ବର୍ତ୍ତମାନ ବିଶ୍ବସ୍ତରରେ କୋରୋନା ଭାରିଆଣ୍ଟ୍ ତାଣ୍ଡବ ରଚୁଛି । ଅନେକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକଙ୍କର ମୃତ୍ୟୁ ହେଉଛି । SARC-COV-2 ଭୂତାଣୁର ନୂଆ ଭାରିଆଣ୍ଟ BA.2.86 ଏବଂ ଏରିସ୍ EG.5.1 ଯୋଗୁଁ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ସଚିବ ମଧ୍ୟ ବିଶ୍ବର କୋରୋନା ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏନ୍ଫ୍ଲୁଏଞ୍ଜା ଭଳି ରୋଗ(ILI) ଏବଂ ଶ୍ବାସକ୍ରିୟା ସଂକ୍ରମଣ(SARI) ଉପରେ ନଜର ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ ସଚିବ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: EG.5.1 ପରେ ଚିହ୍ନଟ ହେଲା ଆଉ ଏକ ଭାରିଆଣ୍ଟ BA.2.86, ଜାଣନ୍ତୁ ଏହାର ଲକ୍ଷଣ
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ, 50ରୁ ଅଧିକ ଦେଶରେ EG.5.1 ଏବଂ BA.2.86 ଚାରୋଟି ଦେଶରେ ଚିହ୍ନଟ ହୋଇଛି । ବୈଠକରେ ସୂଚନା ଦିଆଯାଇଥିଲା ଯେ, ଗତ 7ଦିନ ମଧ୍ୟରେ ସାରା ବିଶ୍ବରେ ମୋଟ 296219 ନୂଆ ମାମଲା ଚିହ୍ନଟ ହୋଇଛି । ଅନ୍ୟପଟେ ଭାରତରେ ଏକ ସପ୍ତାହ ମଧ୍ୟରେ 223ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ଆମେ ତଥ୍ୟ ଦେଖିବା ତାହେଲେ ହାରାହାରି ପଜିଟିଭ 50ରୁ କମ ରହିଛି ।