ହାଇଦ୍ରାବାଦ:ଆରମ୍ଭ ହୋଇଯାଇଛି ଶୀତ ଋତୁ। ଏହି ଋତୁ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ । ତେବେ ବର୍ତ୍ତମାନ ସମୟରେ ନୂଆ ଭାରିଆଣ୍ଟ ସାଙ୍ଗକୁ ନିମୋନିଆ ଏକ ପ୍ରକାର ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ବେଳେବେଳେ ହସ୍ପିଟାଲରେ ଭର୍ତ୍ତି ହେବାପରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ନିମୋନିଆ। ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 100 ରୋଗୀଙ୍କ ମଧ୍ୟରୁ ଜଣଙ୍କୁ ଏହି ରୋଗ ହୋଇଥାଏ । କେତେକ ରୋଗୀଙ୍କ ପାଇଁ ଏହା ସାଘାଂତିକ ମଧ୍ୟ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେବେ ଏହି ଆଶଙ୍କାକୁ କିଭଳି କମ କରାଯାଇ ପାରେ ଜାଣିଛନ୍ତି କି ? ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ସମୟରେ ଦିନକୁ 2 ଥର ଦାନ୍ତ ଘଷିବା ଉଚିତ । ଏହାଦ୍ବାରା ନିମୋନିଆର ଆଶଙ୍କାକୁ କିଛି ମାତ୍ରାରେ କମ୍ କରାଯାଇ ପାରିବ ବୋଲି ସ୍ବାସ୍ଥ୍ଯ ବିଶେଷଜ୍ଞମାନେ କହିଛନ୍ତି ।
ଏହାସହିତ ଜରୁରୀକାଳୀନ ଚିକିତ୍ସା କକ୍ଷରେ ଅଧିକ ସମୟ ବିତେଇବା, ଭେଣ୍ଟିଲେଟରର ଆବଶ୍ୟକତା ଏବଂ ଆଇସିୟୁରେ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ । ଯେଉଁମାନେ ଭେଣ୍ଟିଲେଟରରେ କିମ୍ବା ବିନା ଅକ୍ସିଜେନ ସାହାଯ୍ୟରେ ନିଶ୍ବାସ ନେଉଥିଲେ, ସେମାନଙ୍କ ପାଇଁ ଉପଯୋଗୀ ବୋଲି କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଡରାଉଛି ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ, ଜାଣନ୍ତୁ ଲକ୍ଷଣ
ପାଟିରେ ବ୍ୟାକ୍ଟେରିଆ ହସ୍ପିଟାଲରେ ନିମୋନିଆ ହେବାର ସମ୍ଭାବନାକୁ ବୃଦ୍ଧି କରିଥାଏ । ଲାଳ ଶ୍ବାସକ୍ରିୟା ଦ୍ବାରା ଫୁସଫୁସରେ ପ୍ରବେଶ କରିବା ଦ୍ବାରା ନିମୋନିଆ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଦାନ୍ତ ଘଷିବା ଦ୍ବାରା ଏହି ସମ୍ଭାବନାକୁ ରୋକାଯାଇ ପାରିବ ବୋଲି କୁହାଯାଇଛି । ନିମୋନିଆକୁ ରୋକିବା ପାଇଁ ଏହା ଏକ କୌତୁହଳ ଉପାୟ ବୋଲି ବିଶେଷଜ୍ଞମାନେ କହିଛନ୍ତି ।