ହାଇଦ୍ରାବାଦ:ସର୍ବଭାରତୀୟ ସ୍ତରରେ ବୃଦ୍ଧି ପାଉଛି କ୍ୟାନ୍ସର ମାମଲା । ରୋଗୀଙ୍କ ସଂଖ୍ୟା ସହ ତାଳ ଦେଇ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ରୋଗର ଆଶଙ୍କା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ନେଇ କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କର୍କଟ ବା କ୍ୟାନ୍ସର ଏକ ମାରାତ୍ମକ ରୋଗ ଏବଂ ରୋଗୀଙ୍କ କ୍ଷେତ୍ରରେ ଏହା ବିଳମ୍ବରେ ଚିହ୍ନଟ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ଏହି ରୋଗ ସେତେବେଳେ ଚିହ୍ନଟ ହୁଏ ଯେତେବେଳେ ଏହା ଅତ୍ୟନ୍ତ ଗମ୍ଭୀର ରୂପ ନେଇଥାଏ । ପୁରୁଷମାନଙ୍କ ଠାରେ ପ୍ରୋଷ୍ଟେଟ କର୍କଟ ଏବଂ ମହିଳାଙ୍କ ଠାରେ ଓଭାରିନ୍-ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଦେଖାଯାଉଛି । ଏହି ରୋଗ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ସମସ୍ତ ଲୋକ କର୍କଟ ରୋଗରୁ ବର୍ତ୍ତିବା ପାଇଁ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ପରିବାରରେ ଯଦି କାହାକୁ ଏହି ରୋଗ ହୋଇଥାଏ ତାହେଲେ ସେମାନେ ଆହୁରି ସତର୍କ ହେବା ଆବଶ୍ୟକ ବୋଲି କୁହାଯାଉଛି । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ କେତେକ ଫଳ ଏବଂ ପନିପରିବାରେ ଆଣ୍ଟି-କ୍ୟାନ୍ସର ପ୍ରଭାବ ମଧ୍ୟ ରହିପାରେ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ ହୋଇଯାଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।
ବ୍ରୋକଲି ଖାଇବା ଦ୍ବାରା କମ ହୋଇପାରେ କ୍ୟାନ୍ସର ଆଶଙ୍କା:ବ୍ରୋକଲିରେ ଅନେକ ପୋଷକ ତତ୍ତ୍ବ ରହିଛି । ଏଥିରେ ଆଣ୍ଟି-କର୍କିନୋଜେନିକ୍ ଗୁଣ ରହିଛି । ବ୍ରୋକୋଲିରେ ସଲଫୋରାଫେନ୍ ଥାଏ, ଯାହା କ୍ୟାନ୍ସରର ଆଶଙ୍କାକୁ କମ କରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ସଲଫୋରାଫେନ୍ ଥିବା ଖାଦ୍ୟ ସ୍ତନ କର୍କଟ କୋଷର ଆକାର ଏବଂ ସଂଖ୍ୟାକୁ 75% ପର୍ଯ୍ୟନ୍ତ ହ୍ରାସ କରିପାରେ ।
ପ୍ରୋଷ୍ଟେଟ କ୍ୟାନ୍ସର ପାଇଁ ଲାଭଦାୟୀ ଗାଜର: ଗାଜର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଅଧ୍ୟୟନରୁ ଜଣାପଡିଛି ଯେ ଗାଜର ଖାଇବା ଦ୍ୱାରା କେତେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ପାଞ୍ଚଟି ଅଧ୍ୟୟନର ବିଶ୍ଳେଷଣରୁ ଜଣାପଡିଛି ଯେ ଗାଜର ଖାଇବା ଦ୍ବାରା ପେଟରେ କର୍କଟ ହେବାର ଆଶଙ୍କା 26 ପତିଶତ ପର୍ଯ୍ୟନ୍ତ କମିପାରେ । ଏହା ବ୍ୟତୀତ ଗାଜର ଖାଉଥିବା ଲୋକଙ୍କ ଠାରେ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ମଧ୍ୟ 18 ପ୍ରତିଶତ କମିପାରେ ବୋଲି ଅଧ୍ୟୟନରୁ ଜଣାପଡିଛି।