ହାଇଦ୍ରବାଦ:ବିଟିଲ୍ ଲିଫ୍ (Betel leaf) ବା ପାନକୁ ସର୍ବୋତ୍ତମ ମାଉଥ ଫ୍ରେସନର ଭାବରେ ବିବେଚନା କରାଯାଏ । ଏହା ବ୍ୟତୀତ ଏହାର ଅନେକ ଗୁଣ ଅଛି ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ପାନ ପତ୍ର ଆୟୁର୍ବେଦ, ନେଚରୋପାଥି ଏବଂ ଘରୋଇ ଉପଚାରରେ ମଧ୍ୟ ବ୍ୟବହୃତ ହୁଏ । ପ୍ରତିଦିନ ଗୋଟିଏ ପାନ ପତ୍ର ଖାଇଲେ ଏହା ଶରୀର ପ୍ରତି ଅନେକ କ୍ଷେତ୍ରରେ ଉପଯୋଗୀ ହୋଇଥାଏ ବୋଲି ମୁମ୍ବାଇ ଚିକିତ୍ସିକ ଡକ୍ଟର ମନୀଶା କାଲେ କହିଛନ୍ତି । ପାନ ପତ୍ରର ସୁଗୁଣ ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ବର୍ଣ୍ଣିତ ।
ଡକ୍ଟର ମନୀଶା କହିଛନ୍ତି ଯେ ପାନର ହଟ୍ ପୋଟେନ୍ସି (hot potency) ଗୁଣ ରହିଛି ଯାହାକି କଫ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାବ୍ୟତୀତ ପାନର ଆଣ୍ଟି-ଅକ୍ସିଡେଟିଭ, ଆଣ୍ଟି-ଫଙ୍ଗାଲ, ଆଣ୍ଟି-ବ୍ୟାକ୍ଟେରିଆଲ, ଆଣ୍ଟି-ଡାଇବେଟିକ୍, ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟି-ଅଲସର ଗୁଣ ରହିଛି । ପାନର ଅନ୍ୟ ଗୁଣ ଉପରେ ମଧ୍ୟ ଆସନ୍ତୁ ନଜର ପକାଇବା ।
ପାନ ସେବନର ଉପକାରିତା:-
- ପାନରେ ଜଳୀୟ ଅଂଶ ଭରପୂର ପରିମାଣରେ ରହିଥିବା ସହ ଏଥିରେ ପ୍ରୋଟିନ, ଫ୍ୟାଟ୍, ମିନେରାଲ, ଫାଇବର, କ୍ଲୋରୋଫିଲ, କାର୍ବୋହାଇଡ୍ରେଟ, ନିକୋଟିନ ଏସିଡ଼, ଭିଟାମିନ ସି, ଭିଟାମିନ ଏ, ରିବୋଫ୍ଲାଭିନ, ନାଇଟ୍ରୋଜନ, ଫସଫରସ, ପୋଟାସିୟମ, କ୍ୟାଲସିୟମ, ଆଇରନ ଓ ଆୟୋଡିନ ରହିଛି ।
- ପେଟ ଯନ୍ତ୍ରଣା ଦୂର କରିବା ପାଇଁ ପାନ ପତ୍ରକୁ ଆଦର୍ଶ ଭାବରେ ବିବେଚନା କରାଯାଏ । ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହାକି ଅନ୍ତଃନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପାନ ପତ୍ର ମଧ୍ୟ ଶରୀରର pH ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ତେଣୁ ପେଟ ଜନିତ ସମସ୍ୟାରୁ ମୁକ୍ତି ଏବଂ ଏହା ଭୋକ ବଢାଇଥାଏ ।
- ଥଣ୍ଡା, କଫ, ଜ୍ବର, ଛାତିରେ ଯନ୍ତ୍ରଣା, ଫୁସଫୁସ ଜନିତ ସମସ୍ୟା ଓ ଶ୍ବାସ ରୋଗରୁ ମୁକ୍ତି ଦେଇଥାଏ । ସୋରିଷ ତେଲ ସହ ପାନ ପତ୍ରକୁ ଗରମ କରି ଲଗାଇବା ଦ୍ବାରା ଥଣ୍ଡା ଓ କଫ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ଏହାବ୍ୟତୀତ ପାନ ପତ୍ର ସହ ଲବଙ୍ଗ, ଗୁଜୁରାତି, ଡାଲଚିନି ଖାଇବା ଦ୍ବାରା ମଧ୍ୟ ଥଣ୍ଡା-କାଶ-କଫରୁ ରୋଗୀଟି ଭଲ ହୋଇଥାଏ ।
- ପାନ ପତ୍ରରେ ଆଣ୍ଟି-ସେପ୍ଟିକ, ଆଣ୍ଟି-ଫଙ୍ଗାଲ ଗୁଣ ରହିଛି । ଏଥିଲାଗି ଘା', କୁଣ୍ଡାଇ ହେଉଥିବା, ଜ୍ବଳନ ହେଉଥିବା ସ୍ଥାନରେ ପାନ ପତ୍ରର ପେଷ୍ଟ ଲଗାଇବା ଦ୍ବାରା ଉପକାର ମିଳିଥାଏ । ଏହାସହ ଆଣ୍ଠୁଗଣ୍ଠି ରୋଗ, ଜଏଣ୍ଟ ପେନ୍ ଓ ଫୁଲା ଆଦି ରୋଗ ଭଲ ପାଇଁ ପାନ ପତ୍ରକୁ ବ୍ୟବହାର କରାଯାଏ ।
- ମହିଳା ମାନେ ସନ୍ତାନ ଜନ୍ମ କରିବା ପରେ ସେମାନଙ୍କ ସ୍ତନର ଆକାର ଅପେକ୍ଷାକୃତ ବୃଦ୍ଧି ପାଇଥାଏ । ଏଭଳି ସ୍ଥିତିରେ ପାନ ପତ୍ରକୁ ଗରମ କରି ସ୍ତନରେ ଲଗାଇବା ଦ୍ବାରା ଫୁଲା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
- ମୁଣ୍ଡ ବ୍ୟଥା ହେଉଥିଲେ ପାନ ପତ୍ରକୁ ଓଦା କରି ମୁଣ୍ଡରେ ରଖିଲେ ବା ଏହା ରସକୁ ମୁଣ୍ଡରେ ଲଗାଇଲେ ଏହି ଯନ୍ତ୍ରଣାରୁ ଉପଶମ ମିଳିଥାଏ ।
ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ପାନ
ଅଧିକ ସେବନ ହାନିକାରକ
ଡକ୍ଟର ମନୀଶା କହିଛନ୍ତି ଯେ ପାନ ପତ୍ରକୁ ଆବଶ୍ୟକ ଅନୁସାରେ ଖାଇବା ଆବଶ୍ୟକ । ଏହାକୁ ଅଧିକ ପରିମାଣରେ ସେବନ କରିବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ବଜାରରେ ବିଭିନ୍ନ ପ୍ରକାରର ପାନ ପତ୍ର ମିଳେ । ସେଥିମଧ୍ୟରୁ କିଛି ଶରୀର ପାଇଁ ଉପଯୋଗୀ ହୋଇଥିବା ବେଳେ ଅନ୍ୟ କିଛି ଶରୀରକୁ କ୍ଷତି ପହଞ୍ଚାଇଥାଏ । କିଛି ବ୍ୟକ୍ତି ନିଜ ମନ ମୁତାବକ ପାନ ପତ୍ର ସେବନ କରିବା ଆରମ୍ଭ କରନ୍ତି । ତେବେ ଏହାକୁ ଖାଇବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । କାରଣ ଅଧିକ ପାନ ଖାଇବା ଦ୍ବାରା ଏହା ଏକ ନିଶାରେ ପରିଣତ ହେବା ସହ ପେଟ ଯନ୍ତ୍ରଣା, ଝାଡ଼ା, ବାନ୍ତି ଆଦି ସମସ୍ୟା ଦେଖାଦିଏ ।