ନୂଆଦିଲ୍ଲୀ: କିଡନୀ ରୋଗରେ ପୀଡିତ ଚାରି ବର୍ଷର ଶିଶୁର ଚିକିତ୍ସା ପାଇଁ ଜରୁରୀ ଇଞ୍ଜେକ୍ସନ ଆମଦାନୀ କରିବ ଏମ୍ସ । ଦିଲ୍ଲୀ ହାଇକୋର୍ଟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତର ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ଏକ ଇମେଲ ଆଧାରରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଏହି ରୋଗ ପାଇଁ ଇଞ୍ଜେକ୍ସନ ମିଳୁ ନଥିବାରୁ ଏମ୍ସ ଜରୁରୀ ଆମଦାନୀ କରିବ ।
ଏହା ମଧ୍ୟ ପଢନ୍ତୁ:-BHU Study: ମାନସିକ ଚାପ ପୁରୁଷଙ୍କ ଶକ୍ତିକୁ ପ୍ରଭାବିତ କରୁଛି
ସୂଚନା ଅନୁସାରେ, ଏପରି ଏକ ଜୁଗାନ୍ତକାରୀ ପଦକ୍ଷେପ ପାଇଁ ଜଣେ କିଡନୀ ପୀଡିତ ଶିଶୁଙ୍କ ମାଆ ଜନସ୍ବାର୍ଥ ମାମଲା ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ତାଙ୍କର 4 ବର୍ଷର ପୁଅ କିଡନୀ ରୋଗରେ ପୀଡିତ ହୋଇ ଦିଲ୍ଲୀ ଅଲ୍ ଇଣ୍ଡିଆ ଇଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ(ଏମ୍ସ)ରେ ଭର୍ତ୍ତି ହୋଇଥିଲା । ପୁଅର ଚିକିତ୍ସା ପାଇଁ ଡେକ୍ସେଲ ନାମକ ଇଞ୍ଜେକ୍ସନ ଯୋଗାଡ କରିବାକୁ କହିଥିଲେ ଡାକ୍ତର । ମାତ୍ର ଦେଶରେ ଏହି ଇଞ୍ଜେକ୍ସନ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଇଣ୍ଡିଆ ଫାର୍ମାକୋପିଆରେ ମଧ୍ୟ ଏହି ଇଞ୍ଜେକ୍ସନର କୌଣସି ବିକଳ୍ପ ନାହିଁ । ଫାର୍ମାକୋପିୟାରେ ବିଭିନ୍ନ ପ୍ରକାର ଔଷଧ ଉପଲବ୍ଧ ଥାଏ । ସରକାରୀ ଡାକ୍ତରଖାନାରେ ଆବଶ୍ୟକ ପଡୁଥିବା ଔଷଧ ଏହି ଅନୁଷ୍ଠାନରୁ ମିଳିଥାଏ । ମାତ୍ର ଶିଶୁଙ୍କ କିଡନୀ ରୋଗ ପାଇଁ ଏଠାରେ ମଧ୍ୟ କୌଣସି ବିକଳ୍ପ ନ ଥିଲା ।