ନୂଆଦିଲ୍ଲୀ: ଦିଲ୍ଲୀ AIIMS ଡାକ୍ତରଙ୍କ କମାଲ୍ । ଗର୍ଭସ୍ଥ ଶିଶୁର କଲେ ସଫଳ ବେଲୁନ୍ ଡାଏଲେସନ୍ । ଏକ ଗର୍ଭସ୍ଥ ଶିଶୁର ଅଙ୍ଗୁର ଆକାରର ହୃଦୟରେ ବନ୍ଦ ଭଲଭ(Valve)କୁ ଖୋଲିବାରେ ସଫଳ ହୋଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ । ଏହି ପ୍ରକ୍ରିୟାକୁ ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନ ପ୍ରକ୍ରିୟାରେ କରାଯାଇଛି । ତେବେ କହି ରଖୁଛୁ ଯେ, ଭଲଭ୍ ହେଉଛି ଏକ ଯାନ୍ତ୍ରିକ ଉପକରଣ ଯାହାକି ପାଇପ୍ ଏବଂ ଜୈବିକ ପାତ୍ରରେ ତରଳ ପ୍ରବାହକୁ ବନ୍ଦ କରିବା ପାଇଁ ବ୍ୟବହୃତ ହୁଏ । ଶରୀର କ୍ରିୟା ବିଜ୍ଞାନ(ଫିଜିଓଲୋଜି)ରେ ଭଲଭ୍ ପ୍ରାକୃତିକ ଉପକରଣ ଗୁଡ଼ିକ ପାଇଁ ମଧ୍ୟ ବ୍ୟବହୃତ ହୁଏ, ଯାହା ଶରୀରରେ ଯାନ୍ତ୍ରିକ ଭଲଭ୍ ଭଳି ସମାନ କାର୍ଯ୍ୟ କରିଥାଏ । ଏହି ପ୍ରାକୃତିକ ଉପକରଣ ଗୁଡ଼ିକ ମଧ୍ୟରେ ଉଲ୍ଲେଖନୀୟ ହେଉଛି ହୃଦୟର ଭଲଭ୍, ଯାହା ଖୋଲି କିମ୍ବା ବନ୍ଦ ହୋଇ ହୃଦୟକୋଷ୍ଠରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ ।
ଏହି ଭଲଭ୍, ରକ୍ତ ହୃଦୟ ଆଡକୁ ଗଲାବେଳେ ଖୋଲିଥାଏ ଏବଂ ବିପରୀତ ଦିଗକୁ ଗଲେ ବନ୍ଦ ହୋଇଯାଏ । ହେଲେ ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁର ଏହି ଭଲଭ ବନ୍ଦ ହୋଇ ଯାଇଥିଲା, ଯାହାକୁ ଡାକ୍ତରମାନେ ଖୋଲିବାରେ ସଫଳ ହୋଇଛନ୍ତି । ମାତ୍ର 90 ସେକେଣ୍ଡରେ ଏହି ପ୍ରକ୍ରିୟାକୁ ଶେଷ କରାଯାଇଛି । କାର୍ଡିଅଲୋଡି ଆଣ୍ଡ୍ କାର୍ଡିଆକ୍ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ସହାୟତାରେ ଏହି ପ୍ରକ୍ରିୟା ଶେଷ କରିଛି । ଡାକ୍ତରଙ୍କ କହିବା ଅନୁସାରେ, ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି । ଏମ୍ସ ଡାକ୍ତରଙ୍କ ଏହି ସଫଳତାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ମାଆ ଓ ଶିଶୁର ଆସୁ ଆରୋଗ୍ୟ କାମନା କରିଛନ୍ତି ।
କହି ରଖୁଛୁ ଯେ, ଜଣେ 28 ବର୍ଷୀୟ ମହିଳା ଚତୁର୍ଥ ଥର ପାଇଁ ଗର୍ଭବତୀ ହୋଇଥିଲେ । ଏହା ପୂର୍ବରୁ 3 ଥର ତାଙ୍କର ଗର୍ଭପାତ ହୋଇ ସାରିଥିଲା । ଶାରୀରିକ ଜଟିଳତା ଦେଖାଯିବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ଶିଶୁର ହୃଦୟର ଭଲଭ୍ ବନ୍ଦ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏନେଇ ସେମାନେ ଦମ୍ପତିଙ୍କୁ ଜଣାଇବା ସହ ଭଲଭ୍ ପ୍ରକ୍ରିୟା ବାବଦରେ ମଧ୍ୟ ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିଥିଲେ । ଡାକ୍ତରଙ୍କ ଠାରୁ ସବୁକିଛି ଶୁଣିବା ପରେ ସେମାନେ ଏହି ପ୍ରକ୍ରିୟା ପାଇଁ ଅନୁମତି ଦେଇଥିଲେ । ଏହା ପରେ, AIIMS କାର୍ଡିଓଥୋରେସିକ୍ ସାଇନ୍ସ ସେଣ୍ଟରରେ ଏହି ପ୍ରକ୍ରିୟା କରାଯାଇଥିଲା ।