ହାଇଦ୍ରାବାଦ:ଭାରତ ବର୍ତ୍ତମାନ ଦୁଇଟି ପ୍ରମୁଖ ରୋଗର ଶିକାର ହୋଇଛି । ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଟାଇପ୍-୨ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ପରେ ପୁଣି ଏକ ରୋଗର ଚିନ୍ତାର କାରଣକୁ ଦ୍ବିଗୁଣିତ କରିଛି । ମେଦବହୁଳତା ବା ମୋଟାପଣ ବୃଦ୍ଧି ପାଉଛି । ଦ ଲାନସେଟ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ହେପାଟୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ମୋଟାପଣର ମାତ୍ରା ଦ୍ୱିଗୁଣିତ ହୋଇଛି । ଅନେକ ଲୋକ ମେଦବହୁଳତାର ଶିକାର ହେଉଛନ୍ତି ।
ବର୍ତ୍ତମାନ ଭାରତରେ ଲକ୍ଷ ଲକ୍ଷ ଲୋକ ଘରେ ତିଆରି ପାରମ୍ପରିକ ଖାଦ୍ୟ ଛାଡି ବାହାର ଚର୍ବିଯୁକ୍ତ ଖାଦ୍ୟ ଏବଂ ଚିନିଯୁକ୍ତ ପାନୀୟକୁ ପସନ୍ଦ କରୁଛନ୍ତି । ମଧ୍ୟମ ଆୟ ଏବଂ ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ମଧ୍ୟ ମୋଟାପଣ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ମୋଟାପଣ ଡାଇବେଟିସ୍, ହୃଦରୋଗ ଏବଂ କେତେକ କର୍କଟ ଭଳି ରୋଗ ସହିତ ସିଧାସଳଖ ଜଡିତ ବୋଲି ଅଧ୍ୟୟନକୁ ଜଣାପଡିଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅତୁଳନୀୟ ଅଗ୍ରଗତି କରିଛି, କିନ୍ତୁ ମେଦବହୁଳତାକୁ ଗୁରୁତ୍ୱ ଦେଇନାହିଁ । ଭାରତ ଏହା ଉପରେ କାର୍ଯ୍ୟ କରିବା ଉଚିତ୍ । ଅଧ୍ୟୟନରେ ଜୋର ଦିଆଯାଇଛି ଯେ ଜନସ୍ୱାସ୍ଥ୍ୟ ସଂସ୍ଥାର ଲକ୍ଷ୍ୟ ସଠିକ ଓଜନ ରଖିବାକୁ ପଡିବ । ଯାହା ସଂକ୍ରାମକ ରୋଗକୁ ହ୍ରାସ କରିପାରିବ ।
2016-2021 ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ତଥ୍ୟ ଅନୁଯାୟୀ, ଭାରତୀୟ ଜନସଂଖ୍ୟାର ପ୍ରାୟ 20 ପ୍ରତିଶତ ମେଦବହୁଳତାର ଶିକାର ହେଉଥିବା ବେଳେ 5 ପ୍ରତିଶତ ଲୋକ ଗମ୍ଭୀର ଭାବେ ଶିକାର ହୋଇଥାଆନ୍ତି । ପିଲାଦିନରୁ ମେଦବହୁଳତା କ୍ଷେତ୍ରରେ ତୀବ୍ର ବୃଦ୍ଧି ଘଟିଛି । ଏକ ଆକଳନ ଅନୁଯାୟୀ, ଭାରତରେ ମୋଟ ଜନସଂଖ୍ୟାର 135 ମିଲିୟନ ମୋଟା ଲୋକ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ: ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ, ନଚେତ କେବେ କମିବ ନାହିଁ ଓଜନ
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭାରତରେ ମେଦବହୁଳତା ପାଇଁ ଖାଦ୍ୟପେୟରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି । ଭାରତରେ ଯୁବକମାନେ ଅଧିକ ପାଶ୍ଚାତ୍ୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ଫାଷ୍ଟଫୁଡ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଖାଦ୍ୟରେ ପ୍ରାୟତଃ ଅଧିକ ପରିମାଣର କ୍ୟାଲୋରୀ, ଚିନି ଏବଂ ଚର୍ବି ରହିଥାଏ ଯାହା ଓଜନ ବୃଦ୍ଧି ଏବଂ ମୋଟାପଣର କାରଣ ହୋଇପାରେ ।