କୋଲକାତା:ପଶ୍ଚିମବଙ୍ଗରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି ଏଡିନୋଭାରଇସ୍ । ଏହି ସଂକ୍ରମଣରେ ଆଉ 4 ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ରହିଛି । 4 ଘଣ୍ଟା ମଧ୍ୟରେ 4 ଜଣ ପିଲାଙ୍କ ଜୀବନ ଯିବା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଖବର ଅନୁସାରେ ଗତ 9 ଦିନ ମଧ୍ୟରେ ସେଠାରେ 40 ପିଲାଙ୍କ ଜୀବନ ଯାଇ ସାରିଲାଣି ।
ରବିବାର(5 ମାର୍ଚ୍ଚ) ପୂର୍ବାହ୍ନ ସୁଦ୍ଧା ବି.ସି ରୟ ଚିଲ୍ଡ୍ରେନ୍ ହସ୍ପିଟାଲରେ ଦୁଇ ଶିଶୁ ଜଣେ 18 ମାସର ଏବଂ ଆଉ ଜଣେ 4 ବର୍ଷର ପିଲାର ମୃତ୍ୟୁ ଘଟିଛି । ପୂର୍ବାହ୍ନ ପରେ ପୁନର୍ବାର ଅନ୍ୟ ଦୁଇ ପିଲାଙ୍କ ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ମାର୍ଚ୍ଚ 1ରେ ଏହି ଡାକ୍ତରଖାନାରେ ଆଉ 4 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ମୃତକଙ୍କର ଜ୍ୱର, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ଭଳି ସାଧାରଣ ଏଡିନୋଭାଇରସ୍ ଲକ୍ଷଣ ଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁମାନଙ୍କର ଜୀବନ ଚାଲିଯାଉଛି ।
ଏହାକୁ ଦୃଷ୍ଟିରେ ରଖି ଫ୍ଲୁ ଭଳି ଲକ୍ଷଣରେ ଆକ୍ରାନ୍ତ ଶିଶୁମାନଙ୍କର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଦୁଇ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଶିଶୁମାନେ ଏଡିନୋଭାଇରସ୍ରେ ଆକ୍ରାନ୍ତ ହେଉଥିବାରୁ ଡାକ୍ତରଙ୍କ ପାଇଁ ବିଶେଷ କରି ଶିଶୁ ବିଶେଷଜ୍ଞଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ପରାମର୍ଶ ଜାରି କରିଛନ୍ତି । ତେବେ କହି ରଖୁଛୁ ଯେ, ଏଡିନୋଭାଇରସ୍ର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ଥଣ୍ଡା, ଜ୍ୱର, ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା, ଗଳା ଯନ୍ତ୍ରଣା, ନିମୋନିଆ ଏବଂ ତୀବ୍ର ବ୍ରୋଙ୍କାଇଟିସ୍ ଭଳି ଫ୍ଲୁ ।