ଓଡିଶା

odisha

ETV Bharat / sukhibhava

43 ଲକ୍ଷ ଶିଶୁ ମେଦବହୁଳତାର ଶିକାର: ସର୍ଭେ ରିପୋର୍ଟ - ଦେଶରେ କେତେ ପ୍ରତିଶତ ଶିଶୁ ମେଦବହୁଳତାରେ ଶିକାର

ଦେଶରେ ଶିଶୁଙ୍କ କ୍ଷେତ୍ରରେ ବୃଦ୍ଧି ପାଉଛି ମେଦବହୁଳତା ହାର । 43 ଲକ୍ଷ ଶିଶୁ ମେଦବହୁଳତାର ଶିକାର ହୋଇଥିବା ନେଇ ଏକ ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ

Overweight
Overweight

By ETV Bharat Odisha Team

Published : Sep 18, 2023, 10:08 AM IST

ହାଇଦ୍ରାବାଦ:ଉପଯୁକ୍ତ ଭାବେ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଓ ବିକାଶ ପାଇଁ ଜନ୍ମଠାରୁ ହିଁ ଜଣେ ପିଲା ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । କିନ୍ତୁ ସମୟ ବଦଳିବା ସହିତ ଲୋକଙ୍କ ରୁଚି ମଧ୍ୟ ବଦଳୁଛି । ଘର ତିଆରି ଖାଇବା ପରିବର୍ତ୍ତେ ବାହାର ଖାଦ୍ୟ ଖାଇବା ପାଇଁ ପସନ୍ଦ କରୁଥିବାରୁ ନାନା ପ୍ରକାର ରୋଗ ହେବା ସହିତ ମେଦବୃଦ୍ଧି ମଧ୍ୟ ହୋଇଥାଏ । ଛୋଟ ଛୁଆମାନେ ଜଙ୍କଫୁ଼ଡ ପ୍ରତି ଆକୃଷ୍ଟ ହେବା କାରଣରୁ କମ ବୟସରୁ ସେମାନଙ୍କର ଓଜନ ବୃଦ୍ଧି ପାଉଛି । ତେବେ ଏହାରି ଭିତରେ ଜାତୀୟ ସ୍ତରରେ ଛୋଟ ଛୁଆଙ୍କୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ସମଗ୍ର ଦେଶରେ ଅଙ୍ଗନବାଡି କେନ୍ଦ୍ରଗୁଡିକର ଏକ ସର୍ବେକ୍ଷଣରେ ଜନ୍ମରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ।

ଦେଶରେ ଜନ୍ମରୁ 5 ବର୍ଷ ମଧ୍ୟରେ ପ୍ରାୟ 43 ଲକ୍ଷରୁ ଅଧିକ ଶିଶୁ ମେଦବହୁଳତା ଶିକାର ହୋଇଥିବା ନେଇ ଏକ ତଥ୍ୟରୁ ଜଣାପଡିଛି । ତେବେ ସାରା ଦେଶରେ ପରିଚାଳିତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ 6 ପ୍ରତିଶତ ଲେଖାଏଁ ପିଲା ଉଭୟ କୁପୋଷଣ ଏବଂ ମେଦବହୁଳତାର ଶିକାର ହେଉଛନ୍ତି ।

ତେବେ ସର୍ଭେ ପାଇଁ ସରକାରଙ୍କ ଦ୍ବାରା ଚାଳିତ ଗ୍ରାମୀଣ ଶିଶୁ ଯତ୍ନ କେନ୍ଦ୍ର ଏବଂ ବିକାଶ ମନିଟରିଂ ଆପ୍ 'ପୋଷଣ ଟ୍ରାକର'ରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ତେବେ ଏହି ସର୍ଭେରେ 0-5 ବର୍ଷ ବୟସର 7,24,56,458 ପିଲାଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ ଛଅ ପ୍ରତିଶତ କିମ୍ବା 43,47,387 ପିଲାଙ୍କୁ ମୋଟା ବା ମେଦବହୁଳତାର ଶିକାର ହୋଇଥିବା ଜଣାପଡିଥିଲା । ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ 13ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମେଦବୃଦ୍ଧି ହାର ଜାତୀୟ ହାର ଠାରୁ 6 ପ୍ରତିଶତ ଅଧିକ ଅଟେ ।

ଏହା ମଧ୍ୟ ପଢନ୍ତୁ: Lancet Survey: ବିଶେଷଜ୍ଞଙ୍କ ମତ, ମେଦବହୁଳତା ମଧୁମେହ ଏବଂ ଉଚ୍ଚରକ୍ତଚାପର ମୂଳ କାରଣ

ତେବେ ଦିନକୁ ଦିନ ଛୋଟ ଛୁଆଙ୍କ କ୍ଷେତ୍ରରେ ମେଦବୃଦ୍ଧି ହାର ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଚିନ୍ତାଜନକ ବିଷୟ ପାଲଟିଛି । NHFS-4 (2015-16) ଏବଂ NFHS-5 (2019-2021)ର ତଥ୍ୟ ଅନୁଯାୟୀ, NFHS-4 ତୁଳନାରେ NFHS-5ରେ ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ଓଜନ ଅଧିକ । ସୂଚନାଯୋଗ୍ୟ ଯେ ଗତ ବର୍ଷ 'ପୋଷଣ ଟ୍ରାକର୍' ଆରମ୍ଭ ହେବା ପୂର୍ବରୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ଅଧୀନରେ ତଥ୍ୟ ସଂଗ୍ରହ କରାଯାଇଥିଲା ।

NFHS-5ରେ ସଂଗୃହିତ ତଥ୍ୟରୁ ଜଣାପଡିଛି ଯେ ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ପାଞ୍ଚ ବର୍ଷରୁ କମ୍ ବୟସର ଛୁଆଙ୍କ କ୍ଷେତ୍ରରେ ଅଧିକ ଓଜନ ଦେଖାଦେଇଛି । ଏହାପରେ ରହିଛି ସିକିମ ଏବଂ ତ୍ରିପୁରା । ଅନ୍ୟପଟେ ମଧ୍ୟପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ପାଞ୍ଚ ବର୍ଷରୁ କମ୍ ଓଜନ ବିଶିଷ୍ଟ ପିଲାମାନଙ୍କର ସର୍ବନିମ୍ନ ପ୍ରତିଶତ ରହିଛି । ତାମିଲନାଡୁ ଏବଂ ଗୋଆ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ, NFHS-4 ତୁଳନାରେ NFHS-5 ରେ ପାଞ୍ଚ ବର୍ଷରୁ କମ୍ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।

ନିକଟରେ ଓ୍ବାର୍ଲ୍ଡ ଅବେସିଟି ଫେଡେରେସନ୍ ଦ୍ୱାରା ପ୍ରକାଶିତ ଏକ ବିଶ୍ୱସ୍ତରୀୟ ଅଧ୍ୟୟନରୁ ଜଣାପଡିଛି ଯେ ପିଲାମାନଙ୍କ କ୍ଷେତ୍ରରେ ମେଦବହୁଳତା ସାରା ବିଶ୍ୱରେ ଏକ ଗମ୍ଭୀର ଚିନ୍ତାର ବିଷୟ ସାଜିଛି । ତେବେ ଅଧ୍ୟୟନର ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରାନଯାଏ ତେବେ ଭାରତରେ 2035 ସୁଦ୍ଧା ବାର୍ଷିକ ହାର 9.1 ପ୍ରତିଶତ ବୃଦ୍ଧି ପାଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details