ଠିକ୍ ବର୍ଷକ ତଳେ ଭାରତରେ କୋଭିଡ-୧୯ର ପ୍ରଥମ ମାମଲା ଦେଖାଦେଇଥିଲା । ସେହି ଘଟଣାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଭାଇରସର ଭୟ ଲୋକଙ୍କ ମଧରେ ଏବେ ବି ରହିଛି । ପ୍ରଥମେ ପ୍ରଥମେ ଏହି ଭାଇରସ ଦ୍ୱାରା କବଳିତ ହୋଇ ବହୁସଂଖ୍ୟକ ଲୋକ ପ୍ରାଣ ହରାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରମାନେ ଏହି ରୋଗକୁ କିପରି ପରିଚାଳନା କରାଯାଏ,ତାହା ବୁଝିପାରିଲେ । ତେଣୁ ମୃତ୍ୟୁ ଦର ଏବେ ନିୟନ୍ତ୍ରଣରେ ରହିଛି । ତେବେ କୋରୋନା ରୋଗ ପରବର୍ତ୍ତୀ ପ୍ରଭାବ ଉଭୟ ଡାକ୍ତର ଓ ଗବେଷକମାନଙ୍କୁ ଚିନ୍ତାରେ ପକାଇଛି । ଅବଶ୍ୟ ଦେଶରେ ଖୁବ ଶୀଘ୍ର ଏହି ରୋଗ ବିରୋଧରେ ଟିକା ଆସିଯିବ ବୋଲି ଘୋଷଣା କରାଯାଇଛି । କିନ୍ତୁ ଭାଇରସର ପରିବର୍ତ୍ତନଶୀଳ ସ୍ୱରୂପ, ଲକ୍ଷଣରେ ଭିନ୍ନତା ଓ ଶରୀରରେ ଏହାର ପ୍ରଭାବକୁ ଦେଖି ଲୋକେ ଟିକାର ପ୍ରଭାବଶାଳିତାକୁ ନେଇ ସନ୍ଦେହ ପ୍ରକାଶ କରିବାରେ ଲାଗିଲେଣି ।ତ୍କୋ ଭିଡ-୧୯ ଓ ଏହାର ପ୍ରଭାବ କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି । ଶ୍ୱସନ ହେଉ ବା ହଜମ ବା ସ୍ନାୟୁ ବ୍ୟବସ୍ଥା ,ଏସବୁ କୋଭିଡ-୧୯ ଭାଇରସ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅବଶ୍ୟ ବିଭିନ୍ନ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଇଛି । ୨୦୨୦ର କୋଭିଡ-୧୯ ଡାଏରୀରୁ ଇଟିଭି ଭାରତ ସୁଖିଭବଃ ଟିମ୍ ଏହି ମାରାତ୍ମକ ରୋଗ ଓ ଏହାର ପ୍ରଭାବ ସଂପର୍କିତ କିଛି ସୂଚନାର ପୁନରାବୃତ୍ତି କରିଛି ।
କୋଭିଡ-୧୯ : ମହାମାରୀ
ଚୀନର ଉହାନ ସହରରେ କୋଭିଡ-୧୯ର ପ୍ରଥମ ମାମଲା ସାମନାକୁ ଆସିଥିଲା । ଲୋକଙ୍କର ଯାତାୟତ ଫଳରେ ଏହି ରୋଗ ଧୀରେ ଧୀରେ ଅନ୍ୟଦେଶକୁ ବ୍ୟାପିବାରେ ଲାଗିଲା । ମାତ୍ର କେଇଟା ମାସରେ ସାରା ବିଶ୍ୱ ହେଲା କୋରାନା କବଳିତ । ଏହି ରୋଗକୁ ପ୍ରଥମେ ଏସଏଆରଏସ-ସିଓଭି-୨ ଭାବେ ନାମକରଣ କରାଯାଇଥିଲା । ପରେ ଏହାକୁ କୋଭିଡ-୧୯ କୁହାଗଲା । ( କୋରୋନାଭାଇରସ ଡିଜିଜ୍ ୨୦୧୯ର କ୍ଷୁଦ୍ର ନାମ ) ପ୍ରଥମ ପ୍ରଥମେ କଫ, ଥଣ୍ଡା, ଉଚ୍ଚ ଜ୍ୱର କୋରୋନାର ଲକ୍ଷଣ ଚିହ୍ନଟ ହୋଇଥିଲା । କିନ୍ତୁ ରୋଗ ବ୍ୟାପିବା ସହ ଅନ୍ୟାନ୍ୟ ଲକ୍ଷଣ ବି ଦେଖାଦେଲା । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ,ଗନ୍ଧହୀନତା ମଧ୍ୟ ରୋଗର ଲକ୍ଷଣ ଭାବେ ଚିହ୍ନଟ ହେଲା । ପରେ ପରେ ଡାଇରିଆ, ଶିର ଓ ଶରୀର ପୀଡା,ଅତିଶୟ କ୍ଲାନ୍ତି ଓ ଦୁର୍ବଳତା ମଧ୍ୟ କୋରୋନା ଲକ୍ଷଣ ତାଲିକାରେ ସ୍ଥାନ ପାଇଲା ।
ଏ ବର୍ଷ ଏହି ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ମାରାତ୍ମକ ଓ ଘାତକ ମହାମାରୀ ରୂପେ ବିବେଚତ ହୋଇଛି କୋରୋନା । ଏହି ରୋଗ ଜୀବନଶୈଳୀକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି । ଉଭୟ ମାନସିକ ଓ ଶାରୀରିକ ପରିବର୍ତ୍ତନ ଆଣିଛି ଏହି ମହାମାରୀ । ବିଶ୍ୱର ସମସ୍ତଙ୍କୁ ବ୍ୟାପକ ଭାବେ ପ୍ରଭାବିତ କରିଛି କୋରୋନା । ଶାରିରୀକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ ଓ ବାରମ୍ବାର ହାତ ଧୋଇବା ଓ ବିଭିନ୍ନ ସାମଗ୍ରୀ ସାନିଟାଇଜ କରିବା ସମସ୍ତଙ୍କ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।
ଅନ୍ୟ ରୋଗରେ ପୀଡିତଙ୍କ ଉପରେ କୋଭିଡ୍ର ପ୍ରଭାବ
ସହରୁଗ୍ଣତା ରୋଗୀମାନଙ୍କ ଉପରେ କୋରୋନା ମହାମାରୀର ମାରାତ୍ମକ ପ୍ରଭାବ ପଡିଛି । ହୃଦରୋଗୀ, ଉଚ୍ଚ ରକ୍ତଚାପ,ମଧୁମେହ,କ୍ୟାନସର ଭଳି ରୋଗରେ ପୀଡିତ ଲୋକଙ୍କ ଉପରେ କୋରୋନାର ପ୍ରଭାବ ଅଧିକ ରହିିଛି । ଏସବୁ ରୋଗରେ ପୀଡିତ ଲୋକଙ୍କ ପ୍ରତିରୋଧକ ଶକ୍ତି ସାଧାରଣତଃ ଦୁର୍ବଳ ହୋଇଯାଇଥାଏ । ତେଣୁ ସେମାନେ କୋରୋନା ସଂକ୍ରମଣରେ ଶୀଘ୍ର ସଂକ୍ରମିତ ହୋଇଛନ୍ତି । ବିଶେଷ କରି ହୃଦରୋଗୀଙ୍କ କ୍ଷେତ୍ରରେ କୋରୋନା ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି ।
ଫୁସଫୁସ ଓ ଶ୍ୱସନ ବ୍ୟବସ୍ଥା ଉପରେ ପ୍ରଭାବ
ଆରମ୍ଭରୁ କୋରୋନାକୁ ଶ୍ୱସନ ବ୍ୟବସ୍ଥା ଓ ଫୁସଫୁସ ସହ ଜଡିତ ଏକୋ ରୋଗ ବୋଲି କୁହାଯାଉଥିଲା । କାରଣ ଏହି ରୋଗ ସଂସ୍ପର୍ଶରେ ଆସୁଥିବା ଲୋକଙ୍କଠାରେ ଫ୍ଲୁ ଓ ନିମୋନିଆ ଭଲି ରୋଗର ଲକ୍ଷଣ ଦେଖାଯାଉଥିଲା । ନିଶ୍ୱାସପ୍ରଶାସ ନେବାରେ କଷ୍ଟ ହେଉଥିବା ଲୋକେ ଅଭିଯୋଗ କଲେ । ଆଉ କେତେକ କୋରୋନା ରୋଗୀଙ୍କଠାରେ ଗୁରୁତର ଫୁସଫୁସ ଜନିତ ସମସ୍ୟା ଦେଖାଦେଇଥିଲା । ଏ କ୍ଷେତ୍ରରେରୋଗୀଙ୍କୁ ଅତିରିକ୍ତ ଅକ୍ସିଜେନ ଦେବାକୁ ପଡେ । କେବଳ ସେତିକି ନୁହେଁ, କୋରୋନା ସଂକ୍ରମଣରୁ ସୁସ୍ଥ ହେଲା ପରେ ମଧ୍ୟ ଲୋକଙ୍କ ଶ୍ୱସନ ବ୍ୟବସ୍ଥାରେ ଦୀର୍ଘ ଦିନ ଧରି ଗୁରୁତର ସମସ୍ୟା ଲାଗି ରହୁଛି,ଯାହା କି ଉଦବେଗର ବିଷୟ ।