ବଲାଙ୍ଗୀର: ୧୯୯୫ ମସିହାରେ ବଲାଙ୍ଗୀର ପଥର ଚେପା ଗ୍ରାମରେ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ବାରା ସ୍ଥାପିତ ହୁଏ ପାର୍ବତୀଗିରି ଅନାଥ ଆଶ୍ରମ । ଏହାକୁ ଚଲାଇବା ପାଇଁ ନିଯୁକ୍ତି ପାଆନ୍ତି ବରଗଡର ମହିଳା ସୁଧିରା ବେହେରା । ନିଯୁକ୍ତି ପାଇବା ପରେ ସୁଧିରା ବେହେରା ହୋଇଯାଆନ୍ତି ଶତାଧିକ ଅନାଥ ଶିଶୁଙ୍କ ମା' ଓ ତାଙ୍କ ଗହଣରେ ସେ ପାଆନ୍ତି ସ୍ବର୍ଗୀୟ ଆନନ୍ଦ । ତେବେ ମା' ସୁଧିରା ବେହେରାଙ୍କ ଜୀବନ କିନ୍ତୁ ପ୍ରଥମରୁ ହିଁ କଠିନ ପଥେ ଚାଲିଥିଲା । ତାଙ୍କୁ ବାଲ୍ୟକାଳରେ ତାଙ୍କ ଘର ଲୋକେ ବିବାହ କରିଦେଇଥିଲେ ।
ସେ କିଛି ଜାଣିବା ପୂର୍ବରୁ ଏହି ବାହାଘର ହୋଇଥିବା ବେଳେ କିଛି ବର୍ଷ ପରେ ତାହା କୌଣସି କାରଣରୁ ଭାଙ୍ଗି ଯାଇଥିଲା । ବାପା, ମା'ଙ୍କ ନିକଟରେ ରହୁଥିବା ସୁଧୀରାଙ୍କ ଏହି ଦୁଃଖଦ ସମୟରେ ତାଙ୍କର ପରିଚୟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ସହିତ ହୋଇଥିଲା । ସେବେଠାରୁ ତାଙ୍କର ପରିଚୟ ବଦଳି ଯାଇଥିଲା । ସେ ସାଧାରଣ ମହିଳା ଠାରୁ ହୋଇଯାଇଥିଲେ ଅସାଧାରଣ ଓ ପାଲଟି ଯାଇଥିଲେ ଅନାଥ ଶିଶୁଙ୍କ ପାଇଁ ସ୍ନେହମୟୀ ମା' ।
ମା ପାର୍ବତୀ ଗିରିଙ୍କ ସଂସ୍ପର୍ଷରେ ଆସିବା ପରେ ସୁଧିରା ବେହେରା ତାଙ୍କ ସହିତ ପ୍ରଥମେ ବରଗଡ ପାଇକମାଲସ୍ଥିତ ଶିଶୁ ଅନାଥ ଆଶ୍ରମରେ ରହିଥିଲେ । ପରେ ୧୯୯୯ରେ ବଲାଙ୍ଗୀର ପାର୍ବତୀ ଗିରି ଅନାଥ ଶିଶୁ ଆଶ୍ରମର ଦାୟିତ୍ବ ନେଇଥିଲେ । ଯାହା ପରେ ତାଙ୍କ ଜୀବନର ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିଲା । ନିଜକୁ ସମ୍ପୂର୍ଣ୍ଣ ଭାବରେ ସେ ବଲାଙ୍ଗୀରର ଅନାଥ ଶିଶୁଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ।
ସେବେଠାରୁ ଆଜି ଯାଏ ସେ ଅନେକ ବାଧାବିଘ୍ନ ଓ ଘୋର ଆର୍ଥିକ ଅନାଟନ ସତ୍ତେ୍ୱ ନିଜର ଅନାଥ ଶିଶୁଙ୍କ ପାଇଁ ମା'ର ଦାୟିତ୍ବ ସମ୍ପୁର୍ଣ୍ଣ ଭାବରେ ତୁଲାଇ ଆସୁଛନ୍ତି । ବର୍ତ୍ତମାନ ଏହି ଆଶ୍ରମରେ ୫୪ ଜଣ ଅନାଥ ଶିଶୁ ଥିବା ବେଳେ ସେ ନିଜେ ଏମାନଙ୍କ ସହିତ ସବୁଦିନ ରହିବା ସହ ତାଙ୍କର ସବୁ ଦୁଃଖସୁଖରେ ସାମିଲ ହୋଇଥାନ୍ତି । ସାଙ୍ଗରେ ପଢନ୍ତି ସାଙ୍ଗରେ ଖେଳନ୍ତି ଏବଂ ନିଜେ ସମସ୍ତଙ୍କର ଖାଇବା ପିଇବା ଠୁଁ ଆରମ୍ଭ କରି ସବୁ କାମ ନିଜେ କରିଥାନ୍ତି । ଏଥିରେ ସେ ଆତ୍ମସନ୍ତୋଷ ପାଉଥିବାର କୁହନ୍ତି ।